ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପିପଲକୋଟିସ୍ଥିତ ଟେହରି ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ (ଟିଏଚ୍ଡିସି) ପ୍ରକଳ୍ପରେ ନିର୍ମାଣାଧୀନ ସୁଡ଼ଙ୍ଗର ଏକ ଅଂଶ ଗୁରୁବାର ଭୁଶୁଡ଼ି ପଡ଼ିଛି। ସୁଡ଼ଙ୍ଗ ଭିତରକୁ ମାଟି ଓ ପାଣି ପଶିଯିବାରୁ ସେଠାରେ କାମ କରୁଥିବା ଅନେକ ଶ୍ରମିକ ଫସିଯାଇଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣା ସମୟରେ ସୁଡ଼ଙ୍ଗ ଭିତରେ ପ୍ରାୟ ୨୦ରୁ ୨୫ ଜଣ ଶ୍ରମିକ ଥିଲେ। ତେବେ ପ୍ରକୃତରେ କେତେ ଜଣ ଫସିଛନ୍ତି, ତାହା ଏଯାଏ ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ।
ଘଟଣା ପରେ ଉଦ୍ଧାରକାର୍ଯ୍ୟ ଜୋରଦାର କରାଯାଇଛି। ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି। ଉଦ୍ଧାରକାରୀ ଦଳ ମାଟି ଓ ଆବର୍ଜନା ହଟାଇ ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କୁ ବାହାର କରିବାରେ ଲାଗିଛନ୍ତି। ଅଦ୍ୟାବଧି ଅତି କମ୍ରେ ୧୩ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ସୁଡ଼ଙ୍ଗରୁ ବାହାର କରାଯାଇଛି। ବାକି ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅଭିଯାନ ଜାରି ରହିଛି।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଓ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ଶୀଘ୍ର ଉଦ୍ଧାରକାର୍ଯ୍ୟ ଶେଷ କରିବାକୁ ସେ କହିଛନ୍ତି। ସୁଡ଼ଙ୍ଗ ଭୁଶୁଡ଼ିବାର କାରଣ ଏଯାଏ ଜଣାପଡ଼ି ନାହିଁ।