Chatgpt image 2026 08 13 16 51 22

ଏୟାର ଇଣ୍ଡିଆର ବଡ଼ ପଦକ୍ଷେପ; ସମସ୍ତ ପାଇଲଟଙ୍କ ହେବ ଡୋପ୍‌ ଟେଷ୍ଟ

Spread the love

ନୂଆଦିଲ୍ଲୀ: ଫୁକେଟ୍‌-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର କ୍ୟାପ୍ଟେନଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସମସ୍ତ ପାଇଲଟଙ୍କର ବାଧ୍ୟତାମୂଳକ ଡୋପ୍‌ ଟେଷ୍ଟ କରାଯିବ। ଏନେଇ କମ୍ପାନୀ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ୧୩ ଅଗଷ୍ଟରୁ ହିଁ ସ୍କ୍ରିନିଂ ଆରମ୍ଭ ହୋଇଛି।ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଡିଜିସିଏ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିୟାମକ ନିୟମକୁ କମ୍ପାନୀ ପାଳନ କରୁଛି। ତେବେ ବିମାନ ସୁରକ୍ଷା ଓ ପେସାଦାରିତାର ସର୍ବୋଚ୍ଚ ମାନ ବଜାୟ ରଖିବା ପାଇଁ ବର୍ତ୍ତମାନର ବ୍ୟବସ୍ଥାଠାରୁ ଆହୁରି ଆଗକୁ ଯିବା ଆବଶ୍ୟକ ବୋଲି କମ୍ପାନୀ ଅନୁଭବ କରିଛି। ଏହି କାରଣରୁ ନିଷିଦ୍ଧ ପଦାର୍ଥ କିମ୍ବା ଅନୁମତି ନଥିବା ଔଷଧ ସେବନ ନେଇ ସମସ୍ତ ପାଇଲଟଙ୍କର ସମ୍ପୂର୍ଣ୍ଣ ସ୍କ୍ରିନିଂ କରାଯିବ।ଗୁରୁଗ୍ରାମ ଏକାଡେମୀରେ ପ୍ରଶିକ୍ଷଣ ସମୟରେ, ଉଡ଼ାଣ ପରେ ଏୟାର ଇଣ୍ଡିଆର ଫ୍ଲାଇଟ୍‌ ବ୍ରିଫିଂ ସେଣ୍ଟର ଓ କାର୍ଯ୍ୟାଳୟରେ ଏହି ପରୀକ୍ଷା କରାଯିବ। ସମ୍ପୃକ୍ତ ପାଇଲଟଙ୍କ ବେସ୍‌ରେ ମଧ୍ୟ ସ୍କ୍ରିନିଂ କରାଯିବ ବୋଲି କମ୍ପାନୀ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ଅଗଷ୍ଟ ୪ରେ ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ଓଡ଼ିଶା ଆକାଶପଥରେ ଥିବା ବେଳେ ହଠାତ୍‌ ପ୍ରାୟ ୩୦୦ ଫୁଟ୍‌ ଉଚ୍ଚତା ହରାଇଥିଲା। ବିମାନରେ ୧୩୭ ଜଣ ଯାତ୍ରୀ ଓ ୮ ଜଣ କ୍ରୁ ସଦସ୍ୟ ଥିଲେ। ଘଟଣାରେ ୨୦ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଆହତ ହୋଇଥିଲେ।

ବିମାନଟି ହଠାତ୍‌ ତଳକୁ ଖସିବା ସମୟରେ କୋ-ପାଇଲଟ୍‌ ନିୟନ୍ତ୍ରଣରେ ଥିବା ବେଳେ କ୍ୟାପ୍ଟେନ ସୁଦୀପ ବଶିଷ୍ଠ ନିଜ ସିଟ୍‌ରେ ନଥିବା ସୂଚନା ମିଳିଥିଲା। ପରେ ସେ କ୍ୟାବିନ୍‌କୁ ଯାଇ ଆହତ ଯାତ୍ରୀଙ୍କ ସମ୍ପର୍କରେ ଖବର ନେଇଥିଲେ।ଦିଲ୍ଲୀରେ ବିମାନ ଅବତରଣ ପରେ କ୍ୟାପ୍ଟେନ ଠିକ୍‌ ଭାବେ ଚାଲିପାରୁନଥିବା ନେଇ ମଧ୍ୟ ତଦନ୍ତକାରୀଙ୍କ ନଜରକୁ ଆସିଥିଲା। ପରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ତଦନ୍ତରେ ଡୋପ୍‌ ଟେଷ୍ଟ ପଜିଟିଭ୍‌ ଆସିଥିବାରୁ ଘଟଣାକୁ ନେଇ ବିମାନ ସୁରକ୍ଷା ବ୍ୟବସ୍ଥା ଉପରେ ନୂଆ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *