ଚୂନ ଟାଙ୍କିରେ ପଡ଼ି ଦୁଇ ଶ୍ରମିକ ଗୁରୁତର
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ରାହ୍ମଣ ଗାଁ ଚାରିଛକି କେନାଲ ନିକଟ ଇଟା କାରଖାନାରେ ଘଟିଛି ଏକ ବଡ଼ ଅଘଟଣ। କାମ କରୁଥିବା ବେଳେ ଚୂନ ଟାଙ୍କିରେ ପଡ଼ି ମହିଳା ଶ୍ରମିକ ଅର୍ଦ୍ଧ ଦଗ୍ଧ। ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ପୁରୁଷ ଶ୍ରମିକ ଗୁରୁତର ହୋଇଛନ୍ତି।
ଗୁରୁତର ମହିଳା ଶ୍ରମିକ ହେଉଛନ୍ତି ପୂଜା ବେହେରା। ତାଙ୍କ ଘର ବାଲେଶ୍ବର ଜିଲା ରୁପସା ଗାଁରେ। ପୁରୁଷ ଶ୍ରମିକ ମୟୁରଭଞ୍ଜ ଜିଲା ବଙ୍ଗରିପୋଷି ତୁଳସୀବାଣୀ ଗାଁର। ପୂଜା ଇଟା କାରଖାନା ଚୂନକୁଣ୍ଡରେ ଚୂନ ପକାଉଥିବା ବେଳେ ତାଙ୍କର ଗୋଡ଼ ଖସିଯିବାରୁ କୁଣ୍ଡରେ ପଡିଯାଇଥିଲେ। କୁଣ୍ଡରେ ଗରମ ପାଣି ଥିବାରୁ ନିଜକୁ ବଞ୍ଚାଇବାକୁ ଚିତ୍କାର କରିଥିଲେ। ପାଖରେ ଥିବା ଶ୍ରମିକ କୈଳାଶ ପୂଜାକୁ ଉଦ୍ଧାର କରିବାକୁ ଟାଙ୍କିକୁ ଡେଇଁଥିଲେ। ପୂଜାକୁ ଉଦ୍ଧାର କରିଥିଲେ ମଧ୍ୟ ନିଜେ ଗୁରତର ଆହତ ହୋଇଥିଲେ। ପୂଜାର ଶରୀର ଅର୍ଦ୍ଧ ଦଗ୍ଧ ହୋଇଥିବା ବେଳେ କୈଳାସର ଆଖିରେ ଆଘାତ ଲାଗିଛି। ସାଥି ଶ୍ରମିକ ମାନେ ଦୁଇ ଜଣଙ୍କୁ ଉଧାରକରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଚିକିତ୍ସା ପାଇଁ ଭଦ୍ରକ ପଠାଇ ଦିଆଯାଇଛି। ମହିଳା ଶ୍ରମିକଙ୍କ ଶରୀର ୮୦ ଭାଗ ପୋଡି ଯାଇଛି।
