1222

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

Spread the love

ଭୁବନେଶ୍ୱର: ମହାକାଳପଡ଼ା ବ୍ଲକ୍‌ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସମର୍ଥନରେ ବିଜୁ ଜନତା ଦଳ (ବିଜେଡି) ଅଣ୍ଟାଭିଡ଼ିଛି। ସରପଞ୍ଚଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର, ଶାରୀରିକ ଆକ୍ରମଣ, ଧମକ ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କୁ ସର୍ବସମ୍ମୁଖରେ ଏଭଳି ଅପମାନିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି ବିଜେଡି କହିଛି ।
ଆଜି (ଶୁକ୍ରବାର) ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ମୀନତୀ ବେହେରା ଉପସ୍ଥିତ ଥିଲେ। ସେମାନେ କହିଛନ୍ତି, ବିଜେପିର ନାରୀଶକ୍ତି ବନ୍ଦନ ସ୍ଲୋଗାନ ପ୍ରହସନରେ ପରିଣତ ହୋଇଛି ।
ଶ୍ରୀମତୀ ଦେଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ଚାମେଲୀ ଓଝା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସ୍ଥାନୀୟ ବିଧାୟକ ଓ ବିଡିଓଙ୍କ ବିରୋଧରେ କିଛି ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ବିଜେପି ଦଳର ସକି୍ରୟ ସଦସ୍ୟା ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରି ନ୍ୟାୟ ଭିକ୍ଷା କରୁଛନ୍ତି । ଚାମେଲୀଙ୍କ ପ୍ରତି ହୋଇଥିବା ଅପମାନ ସମଗ୍ର ନାରୀ ଜାତି ଓ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପାଇଁ ଆହ୍ୱାନ ସୃଷ୍ଟି କରିଛି । ମହିଳା ସଶକ୍ତିକରଣ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ବିଜେପି ସମର୍ଥିତ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧି ଯେଉଁଭଳି ଭାବେ ଆକ୍ରମଣର ଶିକାର ହୋଇଛନ୍ତି, ତାହା ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଚାମେଲୀଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଉଥିବା ଲୋକଙ୍କୁ ପୋଲିସ୍ ବର୍ତ୍ତମାନ ସୁଦ୍ଧା ଗିରଫ କରିବାରେ ବିଫଳ ହୋଇଛି ।
ଶ୍ରୀମତୀ ମିନତୀ ବେହେରା କହିଥିଲେ ଯେ, ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ସରପଞ୍ଚ ଚାମେଲୀ ଓଝାଙ୍କୁ ସର୍ବସମ୍ମୁଖରେ ଯେଉଁଭଳି ନିର୍ଯାତନା ଓ ଅପମାନର ଶିକାର ହେବାକୁ ପଡ଼ିଲା, ତାହା ରାଜ୍ୟ ସରକାରଙ୍କ ଅସଲ ସ୍ୱରୂପକୁ ପଦାରେ ପକାଇଦେଇଛି। ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରସଙ୍ଗରେ କୌଣସି ପ୍ରକାରର ଅନ୍ୟାୟକୁ ବିଜେଡି ସହ୍ୟ କରିବ ନାହିଁ । ଚାମେଲୀ ଓଝାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେଡି ଏହି ପ୍ରସଙ୍ଗରେ ଆନେ୍ଦାଳନ ଓ ସଂଗ୍ରାମ ଜାରି ରଖିବ ।

Leave a Reply

Your email address will not be published. Required fields are marked *