Z

ଓମାନ ଉପକୂଳରେ ୨୪ ଭାରତୀୟ ନାବିକ ଥିବା ଜାହାଜ ଉପରେ ଆମେରିକା ଆକ୍ରମଣ କରିଥିଲା

Spread the love

ନୂଆଦିଲ୍ଲୀ: ୨୪ ଜଣ ଭାରତୀୟ ନାବିକଙ୍କୁ ନେଇ ଯାଉଥିବା ଏକ ମର୍ଚ୍ଚାଣ୍ଟ ଟ୍ୟାଙ୍କର୍ ଓମାନ ଉପକୂଳରେ ଏକ କ୍ଷେପଣାସ୍ତ୍ର ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା। କ୍ରୁ ସଦସ୍ୟମାନେ ଜାହାଜରେ ନିଆଁ ଲାଗିଥିବା ଓ ଜାହାଜ ବୁଡ଼ି ଯାଉଥିବା ବିଷୟରେ ଜଣାଇ ଜରୁରୀ ସାହାଯ୍ୟ ମାଗିଥିଲେ। ଏହାପରେ ଓମାନ ସେନା ହେଲିକପ୍ଟର ସମସ୍ତ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। କିନ୍ତୁ ଆକ୍ରମଣ କିଏ କରିଥିଲା ତାହା ସ୍ପଷ୍ଟ ହୋଇ ନ ଥିଲା। ପରେ ଏହା ଆମେରିକାର କାମ ବୋଲି ଜଣାପଡ଼ିଛି। ଆମେରିକା ସେନା ନିଶ୍ଚିତ କରିଥିଲା ଯେ ଇରାନ ବନ୍ଦର ଉପରେ ୱାସିଂଟନର ଅବରୋଧକୁ କାର୍ଯ୍ୟକାରୀ କରୁଥିବା ଏକ ଆମେରିକୀୟ ଯୁଦ୍ଧ ବିମାନ ଦ୍ୱାରା ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା।
ବିବିସିର ଏକ ରିପୋର୍ଟ ଅନୁଯାୟୀ, ଟ୍ୟାଙ୍କର୍ ମାରିଭେକ୍ସରେ ଥିବା କ୍ରୁ ସଦସ୍ୟମାନେ ଆକ୍ରମଣ ପରେ ଜରୁରୀ ସହାୟତା ପାଇଁ ବାରମ୍ବାର ନିବେଦନ କରିଥିଲେ। ସାର୍, ଏହା ହେଉଛି ମୋଟର ଟ୍ୟାଙ୍କର୍ ମାରିଭେକ୍ସ… ଆମ ଜାହାଜରେ ନିଆଁ ଲାଗିଛି ଓ ଜାହାଜ ବୁଡ଼ି ଯାଉଛି। ଆମେରିକା ନୌସେନା ଆକ୍ରମଣ କରିଛି, ଆମ ଇଞ୍ଜିନ୍ ରୁମ୍ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଆମର ତଳ ଭାଗରେ ଛିଦ୍ର ହୋଇଛି … ୨୪ ଜଣ କର୍ମଚାରୀ। ସମସ୍ତ କ୍ରୁ ଇଣ୍ଡିଆନ୍। ଦୟାକରି ଶୀଘ୍ର ସାହାଯ୍ୟ କରନ୍ତୁ, ଆମକୁ ତୁରନ୍ତ ସାହାଯ୍ୟ ଦରକାର ବୋଲି କ୍ରୁ ସଦସ୍ୟ କହିଥିଲେ। ପରେ ସମସ୍ତ ୨୪ ଜଣ ଭାରତୀୟ ନାବିକଙ୍କୁ ଓମାନ ସେନା ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଥିଲା ବୋଲି ଭାରତୀୟ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି। ଭାରତ ପକ୍ଷରୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରାଯାଇଛି।
ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ୍ (ସେଣ୍ଟକମ୍) ଏହି ଆକ୍ରମଣ କରିଥିବା ସ୍ୱୀକାର କରି କହିଛି ଯେ ଜାହାଜଟି ଇରାନର ଗନ୍ତବ୍ୟ ସ୍ଥଳ ଆଡକୁ ଯାତ୍ରା କରିବାକୁ ଚେଷ୍ଟା କରି ଇରାନ ବନ୍ଦର ଉପରେ ଚାଲିଥିବା ଆମେରିକାର ଅବରୋଧକୁ ଉଲ୍ଲଂଘନ କରିଥିଲା। ସେଥିପାଇଁ ତା’ ଉପରେ ଆକ୍ରମଣ କରାଯାଇଥିଲା। ଫରୱାର୍ଡ ସିମେନ୍ସ ୟୁନିୟନ ଅଫ୍ ଇଣ୍ଡିଆ ଏହି ଆକ୍ରମଣକୁ ତୀବ୍ର ସମାଲୋଚନା କରି ଅଭିଯୋଗ କରିଛି ଯେ ଏହି ଆକ୍ରମଣ ଏକ ଚେତାବନୀଠାରୁ ବହୁ ଅଧିକ ଥିଲା। ଏହା କେବଳ ଚେତାବନୀ ନୁହେଁ, ବରଂ ଜାହାଜକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ପ୍ରୟାସ ବୋଲି ୟୁନିୟନ ସୋସିଆଲ ମିଡିଆରେ ଏକ ବିବୃତିରେ କହିଛି।

Leave a Reply

Your email address will not be published. Required fields are marked *