Untitled 1 copy

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

Spread the love

ଭୁବନେଶ୍ବର ୧୦।୬ : ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିବା ନେଇ ମଙ୍ଗଳବାର ବଡ଼ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ‘ଧାମ’ ଶବ୍ଦ ହଟାଯାଇ ଲାଗିଲା ଜଗନ୍ନାଥ ମନ୍ଦିର ସୂଚନା ଫଳକ । ସ୍ଥାନୀୟ ବିଧାୟକ ଚନ୍ଦ୍ର ଶେଖର ମଣ୍ତଳ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ରାଧାମୋହନ ଦାସଙ୍କ ଉପସ୍ଥିତିରେ ଏହି ‘ଧାମ’ ଶବ୍ଦ ହଟାଯାଇଛି । ଫଳରେ ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ସଂସ୍କୃତି ଓ ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ସମ୍ମାନ ଜଣାଇ ଏହି ବିବାଦୀୟ ନାମକୁ ହଟାଇବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି ।
ଦୀଘାର ଜଗନ୍ନାଥ ମନ୍ଦିରକୁ ଆଉ ‘ଧାମ’ ଆଖ୍ୟା ଦିଆଯିବ ନାହିଁ, ଶ୍ରୀକ୍ଷେତ୍ର ପୁରୀ ହିଁ ଏକମାତ୍ର ପବିତ୍ର ଜଗନ୍ନାଥ ଧାମ ଏବଂ ଏହାର ସର୍ବୋଚ୍ଚ ସ୍ଥାନକୁ କ୍ଷୁର୍ଣ୍ଣ କରାଯିବ ନାହିଁ । ପୁରୀ ଶ୍ରୀକ୍ଷେତ୍ର ହେଉଛି ଚାରି ଧାମ ମଧ୍ୟରୁ ଅନ୍ୟତମ । ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବା ଦ୍ବାରା ଓଡ଼ିଆ ସଂସ୍କୃତି ଓ ଭକ୍ତଙ୍କ ଭାବନାକୁ ଆଘାତ ହେଉଥିଲା । ଏହି ନିଷ୍ପତ୍ତି ପରେ ସମସ୍ତ ବିବାଦର ସମାଧାନ ହୋଇଛି ।
ଏ ନେଇ ପୂର୍ବରୁ ବହୁ ଦାବି ହୋଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ‘ଧାମ’ ଶବ୍ଦ ହଟାଇବା ପାଇଁ ଅନୁରୋଧ କରିଥିଲେ । ଏହି ‘ଧାମ’ ଶବ୍ଦ ହଟାଇବା ପରେ କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ବରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ସୂଚନା ଅନୁଯାୟୀ, ପୁରୀ ଶ୍ରୀମନ୍ଦିରର ଅବିକଳ ନକଲରେ ଗଢ଼ା ହୋଇଛି ଦୀଘା ଜଗନ୍ନାଥ ମନ୍ଦିର । ୨୦ ଏକର ଜମିରେ ଓ ୨୫୦ କୋଟି ବ୍ୟୟରେ ନିର୍ମାଣ ହୋଇଛି ଏହି ମନ୍ଦିର । ୨୦୧୯ ମସିହାରୁ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା । ୨୦୨୫ ମସିହା ଏପ୍ରିଲ ୩୦ ତାରିଖରେ ଏହା ଉଦଘାଟିତ ହୋଇଥିଲା । ତେବେ ମୁଖ୍ଯମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ପରେ ଦୀଘା ବାସିନ୍ଦା ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇବା ସହ ଖୁସି ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *