Z4

ଇରାନରେ ସବୁ ମହଙ୍ଗା : ବଢିଯାଇଛି ଖାଦ୍ୟ ଏବଂ ଔଷଧ ଦାମ୍, EMIରେ ଲୋକେ କିଣୁଛନ୍ତି ଚାଉଳ-ରୁଟି

Spread the love

ତେହେରାନ,୦୯|୦୬:ଇସ୍ରାଏଲ୍ ଓ ଆମେରିକା ସହ ଚାଲିଥିବା ଯୁଦ୍ଧର ସିଧାସଳଖ ପ୍ରଭାବ ଏବେ ଇରାନବାସୀଙ୍କ ଜୀବନକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି। ଦେଶରେ ମହଙ୍ଗା ମାଡ଼ ଏବଂ ଆର୍ଥିକ ସଙ୍କଟ ଏପରି ଚରମ ସୀମାରେ ପହଞ୍ଚିଛି ଯେ, ମାସ ଅଧାରୁ ହିଁ ଲୋକଙ୍କ ଦରମା ଶେଷ ହୋଇଯାଉଛି। ସ୍ଥିତି ଏତେ ସଂଗୀନ ଯେ ଲୋକମାନେ ଦୈନନ୍ଦିନ ଖାଦ୍ୟ ସାମଗ୍ରୀ, ରୁଟି ଏବଂ ସୁପରମାର୍କେଟ୍ ପ୍ୟାକେଜ୍ ମଧ୍ୟ କିସ୍ତି ବା EMI ମାଧ୍ୟମରେ କିଣିବାକୁ ବାଧ୍ୟ ହେଉଛନ୍ତି।
ଇରାନ ବଜାରରେ ଏବେ ହାହାକାର ପରିସ୍ଥିତି। ଖାଇବା ତେଲର ଦାମ ପ୍ରାୟ ୪୩୦ ପ୍ରତିଶତ ଏବଂ ଅଣ୍ଡାର ଦାମ ୩୪୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଯୁଦ୍ଧ ପରିସ୍ଥିତି ଯୋଗୁଁ କଞ୍ଚାମାଲର ଘୋର ଅଭାବ ଦେଖାଦେଇଛି। ଫଳରେ ଅଧିକାଂଶ କାରଖାନା ବନ୍ଦ ହୋଇଯାଇଛି ଏବଂ କର୍ମଚାରୀମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯାଉଛି। ବିଶେଷ କରି ଇରାନର ସବୁଠାରୁ ବଡ଼ ସମ୍ବଳ କୁହାଯାଉଥିବା ପେଟ୍ରୋକେମିକାଲ୍ସ ଶିଳ୍ପ ଆକ୍ରମଣ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି, ଯାହା ଅର୍ଥନୀତିକୁ ରସାତଳକୁ ନେଇଯାଇଛି।
ଖାଦ୍ୟ ସାମଗ୍ରୀ ଭଳି ଏବେ ଇରାନର ଔଷଧ ଦୋକାନ ଗୁଡ଼ିକରେ ମଧ୍ୟ ରାସନ ଭଳି ମାପିଚୁପି ଔଷଧ ଦିଆଯାଉଛି। ଯୁଦ୍ଧ ଓ ଆନ୍ତର୍ଜାତୀୟ କଟକଣା ଯୋଗୁଁ ବାହାର ଦେଶରୁ ଔଷଧ ଆମଦାନୀ କରିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିଛି । ଦେଶରେ ଔଷଧର ପ୍ରବଳ ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାକ୍ତରମାନଙ୍କୁ କେବଳ ଅତି ଜରୁରୀ ଔଷଧ ଲେଖିବାକୁ ନିର୍ଦ୍ଦେଶ ଦେଇଛି।
ସାରା ଦେଶରେ ଇଣ୍ଟରନେଟ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଫଳରେ ଲୋକମାନେ ନିଜ ପ୍ରିୟଜନ ଓ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିପାରୁ ନାହାନ୍ତି। ଏହି ଭୟାବହ ଯୁଦ୍ଧ ଇରାନର ସାଧାରଣ ନାଗରିକଙ୍କୁ ଏକ ଦୁର୍ଭିକ୍ଷ ଆଡ଼କୁ ଠେଲି ଦେଇଛି। ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିବା ବେଳେ ଏବେ ବଞ୍ଚିବା ପାଇଁ ପ୍ରତି ସେକେଣ୍ଡରେ ସଂଘର୍ଷ କରୁଛନ୍ତି ଇରାନବାସୀ।

Leave a Reply

Your email address will not be published. Required fields are marked *