ଦୀଘା ଜଗନ୍ନାଥ ମନ୍ଦିର ନେଇ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ସ୍ବାଗତ କଲେ ଶୁଭେନ୍ଦୁ ଅଧିକାରୀ
ଭୁବନେଶ୍ବର: ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ଆଉ ‘ଧାମ’ କୁହାଯିବ ନାହିଁ। ପଶ୍ଚିମବଙ୍ଗର ପୂର୍ବତନ ସରକାର ରଖିଥିବା ଏହି ‘ଧାମ’ ଶବ୍ଦକୁ ହଟାଇବାକୁ ବର୍ତ୍ତମାନର ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ଏହି ବଡ଼ ଘୋଷଣା କରିଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ଏହି ଘୋଷଣା ପରେ ଏହି ନିଷ୍ପତ୍ତି ପରେ କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଉଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଜଗନ୍ନାଥ ଭକ୍ତମାନେ ଓ ସାଂସ୍କୃତିକ ସଂଗଠନ ସ୍ୱାଗତ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶବ୍ଦ ତୁରନ୍ତ ହଟାଇ ଦିଆଯିବ। ଏହାର ନାମ ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ହେବ। ପୁରୀ ଶ୍ରୀମନ୍ଦିର ନୀତି ଅନୁସାରେ ଦୀଘା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ହେବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠିରେ ଦେଇଥିବା ପ୍ରସ୍ତାବ ସ୍ବାଗତଯୋଗ୍ୟ।
ସୂଚନାଯୋଗ୍ୟ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ପଶ୍ଚିମବଙ୍ଗ ସମକକ୍ଷ ଶୁଭେନ୍ଦୁ ଅଧିକାରୀଙ୍କୁ ଏକ ଚିଠି ଲେଖିଥିଲେ। ସେ ଦୀଘା ଜଗନ୍ନାଥ ମନ୍ଦିରୁ ‘ଧାମ’ ଶବ୍ଦ ହଟାଇ ପାଇଁ ଅନୁରୋଧ କରିଥିଲେ। ଜଗନ୍ନାଥ ଧାମ ପବିତ୍ର ଶ୍ରୀକ୍ଷେତ୍ର ପୁରୀ ସହିତ ଜଡ଼ିତ ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଥିଲେ।
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଉପକୂଳ ସହର ‘ଦୀଘା’ରେ ୨୦୨୫ ଏପ୍ରିଲ ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭବ୍ୟ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ହୋଇଥିଲା। ଏହି ମନ୍ଦିରୀ ନିର୍ମାଣ ଶୈଳୀ ଶ୍ରୀମନ୍ଦିର ଭଳି କରାଯିବାକୁ ଉଦ୍ୟମ କରାଯାଇଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘା ଜଗନ୍ନାଥ ମନ୍ଦିରର ନିର୍ମାଣ ନେଇ ୨୦୧୮ରେ ଘୋଷଣା କରିଥିଲେ। ନିର୍ମାଣ କାମ ୨୦୨୨ରେ ସଂପୂର୍ଣ୍ଣ ହୋଇଥିଲା। ପ୍ରାୟ ୨୫୦ କୋଟି ଟଙ୍କାରେ ନିର୍ମିତ ଏହି ମନ୍ଦିର ପ୍ରତିଷ୍ଠା ହେଲା ପରେ ମମତା ସରକାର ଏହାର ନାମକୁ ଦୀଘା ଜଗନ୍ନାଥ ଧାମ ରଖିଥିଲେ। ଏହାକୁ ନେଇ ବିବାଦ ଦେଖାଯାଇଥିଲା।
