Attack e1780763853111 300x234

କୁଏତ ଉପରେ ଇରାନର ମିସାଇଲ ଓ ଡ୍ରୋନ୍ ଆକ୍ରମଣ

Spread the love

ନୂଆଦିଲ୍ଲୀ: ଗଲ୍ଫ ଅଞ୍ଚଳରେ ଦିନକୁ ଦିନ ବଢ଼ୁଛି ଉତ୍ତେଜନା । ଆଜି ଭୋରରୁ କୁଏତବାସୀ ଆଖି ଖୋଲିବା ପୂର୍ବରୁ ପୁଣି ବଡ଼ ବିପଦର ସାମ୍ନା କରିଛନ୍ତି । କୁଏତ ଆକାଶରେ ଇରାନର ଶକ୍ତିଶାଳୀ ମିସାଇଲ୍ ଏବଂ ଡ୍ରୋନ୍ ବାହିନୀ ପୁଣି ଥରେ ଆକ୍ରମଣ କରିଛି । ଏହା ପରେ ଦେଶରେ ସାଇରନ୍ ବାଜି ଉଠିଥିଲା ଓ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ରାଜଧାନୀ କମ୍ପି ଉଠିଥିଲା ।  ତେବେ କୁଏତର ଏୟାର୍ ଡିଫେନ୍ସ ସିଷ୍ଟମ୍ ଏହି ସମସ୍ତ ଶତ୍ରୁ ମିସାଇଲ୍ କୁ ଆକାଶ ମାର୍ଗରେ ଖଣ୍ଡଖଣ୍ଡ କରି ଛି। କୁଏତ ସେନା ପକ୍ଷରୁ ଜାରି ବିବୃତିରେ ସ୍ଥାନୀୟ ସମୟ ରାତି ପ୍ରାୟ ୧୨ ଟା ୫୨ ମିନିଟରେ ଦେଶର ଆକାଶମାର୍ଗରେ କିଛି ସନ୍ଦିଗ୍ଧ “ଶତ୍ରୁ” ମିସାଇଲ୍ ଓ ଡ୍ରୋନ୍ ଗତିବିଧି ଚିହ୍ନଟ ହୋଇଥିଲା ।  ଏହା ପରେ ସେନା ତୁରନ୍ତ ଆକ୍ସନ ମୋଡ୍ କୁ ଆସି ଏହାକୁ ଆକାଶରେ ହିଁ ଧ୍ୱଂସ କରିଦେଇଥିଲା ।  କୁଏତ ସିଟି ଓ ଏହାର ଆଖପାଖ ଅଞ୍ଚଳରେ ଯେଉଁ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା, ତାହା କୌଣସି ଗ୍ରାଉଣ୍ଡ ଆଟାକ୍ ଯୋଗୁଁ ନୁହେଁ, ବରଂ ଏୟାର୍ ଡିଫେନ୍ସ ଦ୍ୱାରା ମିସାଇଲ୍ ଗୁଡ଼ିକୁ ଆକାଶରେ ଉଡ଼ାଇ ଦେବା କାରଣରୁ ହୋଇଥିଲା ।

ଘଟଣାରେ କୌଣସି ଧନଜୀବନ ହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ ।  କୁଏତ ସେନା ପକ୍ଷରୁ ସମସ୍ତ ନାଗରିକଙ୍କୁ ଘର ଭିତରେ ରହିବାକୁ ଓ ସରକାରୀ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ନିବେଦନ କରାଯାଇଛି ।  ଆକାଶରେ ନଷ୍ଟ ହୋଇଥିବା ମିସାଇଲର ଭଙ୍ଗା ଅବଶେଷ କିମ୍ବା ଆବର୍ଜନାଠାରୁ ଦୂରେଇ ରହିବାକୁ ସତର୍କ କରାଯାଇଛି। ସେହିପରି ପଡ଼ୋଶୀ ବାହାରିନ୍ ରେ ମଧ୍ୟ ସାଇରନ୍ ବାଜିବା ପରେ ସେଠାରେ ସମାନ ଆଲର୍ଟ ଜାରି ହୋଇଛି ।  ବିଶେଷଜ୍ଞଙ୍କ ମତରେ, ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଦୁର୍ବଳ ଅସ୍ତ୍ରବିରତି ଚୁକ୍ତି ଏବେ ବିପଦରେ ।  ନିକଟରେ ହର୍ମୁଜର କ୍ୟୁଶମ୍ ଦ୍ୱୀପରେ ଥିବା ଇରାନର ରାଡାର ଓ ଡ୍ରୋନ୍ କେନ୍ଦ୍ର ଉପରେ ଆମେରିକା ଆକ୍ରମଣ କରିଥିଲା। ପ୍ରତିଶୋଧ ନେବାକୁ ଇରାନ ବାରମ୍ବାର ଆକ୍ରମଣ କରୁଥିବା ଜଣାପଡ଼ିଛି । ଗତ ୩ ତାରିଖରେ ଇରାନ ପକ୍ଷରୁ ଭୟଙ୍କର ଡ୍ରୋନ୍ ମାଡ଼ ହୋଇଥିଲା ।  ଯାହା କୁଏତ ଆନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୧ ଉପରେ ପଡ଼ିଥିଲା ।

ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ ।  ବିମାନବନ୍ଦରର ଅନେକ କ୍ଷୟକ୍ଷତି ହେବା ସହ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।  କୁଏତ ହେଉଛି ଆମେରିକାର ପ୍ରମୁଖ ସହଯୋଗୀ ଦେଶ ।  ଏଠାରେ ଆମେରିକାର ସାମରିକ ବେସ୍ ରହିଛି । ଗତ ଫେବୃଆରୀରୁ ଚାଲିଥିବା ଇରାନ-ଆମେରିକା ମହାଯୁଦ୍ଧ ମଧ୍ୟରେ କୁଏତ ବଳିର ବୋଦା ସାଜିଛି। ସକାଳ ସୁଦ୍ଧା ସ୍ଥିତି ଗମ୍ଭୀର ରହିଛି ।  କୁଏତ କର୍ତ୍ତୃପକ୍ଷ ଆକାଶମାର୍ଗ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।  ଏପଟେ ଇରାନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହିଁ ।

Leave a Reply

Your email address will not be published. Required fields are marked *