ଭାରତ-ଆମେରିକା ମଧ୍ୟରେ ସ୍ବାକ୍ଷର ହେବାକୁ ଯାଉଛି ବାଣିଜ୍ୟ ଚୁକ୍ତି
ନୂଆଦିଲ୍ଲୀ : ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବଡ଼ ଧରଣର ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ ହେବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମ୍ଭାବନାକୁ ନେଇ ଦୃଢ଼ ଆଶା ପ୍ରକଟ କରିଛନ୍ତି । ଗୁରୁବାର ଦିନ ହ୍ୱାଇଟ୍ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ ଏହି ସୂଚନା ଦେଇଛନ୍ତି ।
ଦୁଇ ଦେଶ ମଧ୍ୟରେ ବଦଳୁଥିବା ବ୍ୟାପାରିକ ସମୀକରଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ସୁଦୃଢ଼ ବ୍ୟକ୍ତିଗତ ସମ୍ପର୍କ ଯୋଗୁଁ ଏହି ଚୁକ୍ତି ସଫଳ ହେବାକୁ ଯାଉଛି ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ବର୍ଷ ବର୍ଷ ଧରି ଭାରତ ଆମେରିକାରୁ ଫାଇଦା ଉଠାଉଥିଲା। ସେମାନେ ଆମ ଉପରେ ପ୍ରବଳ ଶୁଳ୍କ ଲଗାଉଥିଲେ ଏବଂ ନିଜେ କିଛି ଦେଉନଥିଲେ। କିନ୍ତୁ ଏବେ ସ୍ଥିତି ସମ୍ପୂର୍ଣ୍ଣ ଓଲଟି ଯାଇଛି ଏବଂ ଆମେ ଭାରତ ସହିତ ବ୍ୟାପାର କରି ଭଲ ରୋଜଗାର କରୁଛୁ।
ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ବନ୍ଧୁତା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ଆମେ ଦୁହେଁ ଏକ ସହମତିରେ ନିଶ୍ଚୟ ପହଞ୍ଚିବୁ, କାରଣ ମୁଁ ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ବହୁତ ପସନ୍ଦ କରେ। ସେ ମୋର ଜଣେ ଭଲ ବନ୍ଧୁ ଏବଂ ଆମ ଭିତରେ ସମ୍ପର୍କ ଖୁବ୍ ଚମତ୍କାର। ଏହି ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନରୁ ଚାଲିଆସୁଥିବା ଶୁଳ୍କ ବିବାଦ ଏବଂ ବଜାର ପ୍ରବେଶ ଭଳି ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ବାଣିଜ୍ୟ କାରବାରରେ ଭାରତର ପଲ୍ଲା ଭାରୀ ରହିଥିଲେ ମଧ୍ୟ ସାମ୍ପ୍ରତିକ ସ୍ଥିତିରେ ଏହା ଅଧିକ ସନ୍ତୁଳିତ ହେବାରେ ଲାଗିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିବା ପ୍ରାଥମିକ ଆଲୋଚନାକୁ ଆଧାର କରି ଏହି ଉଚ୍ଚସ୍ତରୀୟ ବାଣିଜ୍ୟ ବାର୍ତ୍ତାଳପ ଆଗକୁ ବଢ଼ୁଛି । ତେବେ ଏହି ଆଗାମୀ ଚୁକ୍ତିର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ବା ସର୍ତ୍ତାବଳୀ ବିଷୟରେ ଟ୍ରମ୍ପ ସ୍ପଷ୍ଟ କରିନାହାଁନ୍ତି । ଦୁଇ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ମଧ୍ୟରେ ଥିବା ଏହି ରଣନୀତିକ ସମ୍ପର୍କରେ ବାଣିଜ୍ୟ ଏକ ମୁଖ୍ୟ ସ୍ତମ୍ଭ ସଦୃଶ ବୋଲି ଉଭୟ ଦେଶର ଅଧିକାରୀମାନେ ପୂର୍ବରୁ ମତ ଦେଇଛନ୍ତି ।
