ଆସନ୍ତା ୧୦ରେ ହେବନି ଘରୋଇ ବସ ଧର୍ମଘଟ
କଟକ: ଆସନ୍ତା ୧୦ରେ ହେବନି ଘରୋଇ ବସ ଧର୍ମଘଟ । ସାମୟିକ ଭାବେ ବସ ଧର୍ମଘଟକୁ ସ୍ଥଗିତ ରଖିଲା ସଂଘ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ଘରୋଇ ବସ ମାଲିକ ସଙ୍ଘ । ୧୪ ଟି ପାରାମିଟର ନେଇ ବସ ଭଡା ବୃଦ୍ଧି ପାଇଁ ପ୍ରସ୍ତାବ ରଖିଛି ସଂଘ । ରାଜ୍ୟରେ ବସ ଭଡା ବୃଦ୍ଧି ପ୍ରସଙ୍ଗରେ ପରିବହନ କମିଶନର ଅମିତାଭ ଠାକୁରଙ୍କ ସହିତ ବସ ମାଲିକ ସଙ୍ଘ ଆଲୋଚନା କରିଛି ।
ଡିଜେଲ ଦର ସହିତ ଲୁବ୍ରିକାଣ୍ଟ, ଟାୟାର, ବୀମା, ବ୍ୟାଟେରୀ, ସୁଧ ହାର, କର୍ମଚାରୀଙ୍କ ଦରମା ଆଦି ବଢିଛି। ଗତ ୬ ବର୍ଷ ଧରି ଏ ସମସ୍ତ ଦିଗକୁ ଧ୍ୟାନ ଦେଇ ଭଡ଼ା ବୃଦ୍ଧି ହୋଇ ନାହିଁ । ଏ ସବୁ ଦିଗକୁ ଦେଖି ଭଡା ବୃଦ୍ଧି କରିବାକୁ ଦାବି ରଖାଯାଇଥିବା କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ।
