ଟଙ୍କା ପାଇଁ ଡାକ୍ତରଖାନରେ ବନ୍ଧା ପଡିଛି ମୃତଦେହ, ଆଣିବା ପାଇଁ ମାଆ-ବାପାଙ୍କ ଆକୁଳ ନିବେଦନ
ଟିଟିଲାଗଡ଼: ଟଙ୍କା ପାଇଁ ୪ ଦିନ ହେଲା ବନ୍ଧା ପଡିଛି ମୃତଦେହ । ମୃତଦେହ ଆଣିଦେବା ପାଇଁ ମାଆ ବାପାଙ୍କ ଆକୁଳ ନିବେଦନ । ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଟଙ୍କା ପାଇଁ ଭେଣ୍ଡିଆ ପୁଅର ମୃତଦେହ ବନ୍ଧା ପଡିଛି ସୁଦୂର ବେଙ୍ଗଲୋରରେ । ପୁଅର ମୃତ୍ୟକୁ ୪ ଦିନ ବିତିଗଲାଣି । ଡାକ୍ତରଖାନର ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ଟଙ୍କା ଦେଇ ପାରିନଥିବାରୁ ହସପିଟାଲ ମୃତଦେହ ଛାଡୁ ନାହିଁ। ପରିବାର ତରଫରୁ ପ୍ରଶାସନର ହସ୍ତକ୍ଷେପ ଲୋଡାଯାଇଛି । ବର୍ଷକ ତଳେ ସଇଁତଳା ତହସିଲ ଅନ୍ତର୍ଗତ ସିଲେଟପଡା ଗାଁର ଦେବେନ୍ଦ୍ର ସୁନା ବେଙ୍ଗାଳୁରୁ ଯାଇଥିଲେ କାମ ଧନ୍ଦା ପାଇଁ। ଆଶା କରିଥିଲେ କାମ କରି ଯାହା ରୋଜଗାର କରିବେ ମାଆ ବାପା ର ଋଣ ପରିଶୋଧ କରିବେ । ସେଠାରେ ସ୍ବାସ୍ଥ୍ୟ ଖରାପ ହେବାରୁ ସହଯୋଗୀମାନେ ତାଙ୍କୁ ବେଙ୍ଗାଲୁରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ।
ଚିକିତ୍ସାଧୀନ ଅବସ୍ଥାରେ ଦେବେନ୍ଦ୍ରଙ୍କର ଗତ ୧ ତାରିଖରେ ମୃତ୍ୟୁ ହୋଇଥିଲା । ହେଲେ ହସପିଟାଲରେ ଚିକିତ୍ସା ସମୟରେ ଖର୍ଚ୍ଚ ହୋଇଥିବା ପ୍ରାୟ ୨.୬୦ ଲକ୍ଷ ଟଙ୍କା ପଇଠ ପରେ ମୃତଦେହକୁ ହସ୍ତାନ୍ତର କରାଯିବ ବୋଲି ହସପିଟାଲ କହିଥିଲା । ଦେବେନ୍ଦ୍ରଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ଏତେ ଟଙ୍କା ପଇଠ କରି ପାରିଲେନି । ତେଣୁ ପୁଅର ମୃତ୍ୟୁର ୪ଦିନ ହୋଇ ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯନ୍ତ ମୃତଦେହ ଗାଁକୁ ଆସୁନଥିବା ପରିବାର ତରଫ ରୁ ଅଭିଯୋଗ ହୋଇଛି । ସେପଟେ ଟିଟିଲାଗଡ ଉପଜିଲ୍ଲାପାଳ କହିଛନ୍ତି ହସ୍ପିଟାଲକୁ ଟଙ୍କା ଦିଆସରିଛି । ମୃତଦେହ ଫେରାଇ ଆଣିବାକୁ ପ୍ରୟାସ ହେଉଛି ।
