କୁଏତରୁ ଫେରୁଥିଲା ବେଳେ ଡ୍ରୋନ ଆକ୍ରମଣରେ ଚାଲିଗଲା ଭାରତୀୟଙ୍କ ଜୀବନ
ନୂଆଦିଲ୍ଲୀ : କୁଏତ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ମଧ୍ୟପ୍ରଦେଶର ଉଜ୍ଜୟନୀର ବାସିନ୍ଦା ୫୦ ବର୍ଷ ବୟସ୍କ ମଞ୍ଜୁର ଅହମ୍ମଦଙ୍କ ମୃତ୍ୟୁ ହୋଇଛି । ମଞ୍ଜୁର ତାଙ୍କ ଭାଣିଜୀଙ୍କ ବାହାଘର ପାଇଁ ଭାରତ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ପ୍ରାୟ ୩୦ ବର୍ଷ ଧରି କୁଏତରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ମଞ୍ଜୁର । ପରିବାର ଏହି ବିଷୟରେ ଜାଣିବା ପାଇଁ ଶୋକର ଛାୟା ଖେଳିଯାଇଛି ।
୩୦ ବର୍ଷ ଧରି କୁଏତରେ ରହିବା ପରେ ନିଜ ଭାଣିଜୀଙ୍କ ବାହାଘରରେ ଯୋଗ ଦେବାକୁ ଭାରତ ଆସୁଥିଲେ । ହେଲେ ବାଟରେ ଏମିତି ହେବ ବୋଲି କିଏ ଜାଣିନଥିଲା । ମଞ୍ଜୁର ବାପାଙ୍କୁ ଶେଷ ଥର ପାଇଁ ଫୋନରେ କହିଥିଲେ, ମୁଁ ନଗଡା ଟ୍ରେନରେ ଫେରିବି । ମୋତେ ନେବାକୁ ଆସିବ । କିନ୍ତୁ ସେ ଆଉ ଫେରିନାହାନ୍ତି ।
ବୁଧବାର ଦିନ କୁଏତ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା । ଆକ୍ରମଣରେ ଅନେକ ଯାତ୍ରୀ ଏବଂ ବିମାନବନ୍ଦର କର୍ମଚାରୀ ଆହତ ହୋଇଛନ୍ତି । ଭାରତ ଫେରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିବା ମଞ୍ଜୁର ଅହମ୍ମଦ ଏହି ଘଟଣାରେ ମୃତ୍ୟୁବରଣ କରିଥିଲେ । ମଞ୍ଜୁର ଅହମ୍ମଦ ଜୁନ୍ ୮ ତାରିଖରେ ତାଙ୍କ ଭାଣିଜୀର ବିବାହରେ ଯୋଗଦେବା ପାଇଁ ଭାରତ ଫେରୁଥିଲେ । ତାଙ୍କ ଆଗମନକୁ ନେଇ ପରିବାର ଲୋକ ଉତ୍ସାହିତ ରହିଥିଲେ । ମଞ୍ଜୁର ଅହମ୍ମଦ କୁଏତରେ ରହି ଜଣେ ଦର୍ଜୀ ଭାବରେ କାମ କରୁଥିଲେ । ଶେଷ ଥର ପାଇଁ ମଞ୍ଜୁର ୨୦୨୫ରେ ଭାରତ ଆସିଥିଲେ ।
ତେବେ କୁଏତରେ ଥିବା ଭାରତୀୟ ଦୂତାବାସ ମଞ୍ଜୁର ଅହମ୍ମଦଙ୍କ ପାର୍ଥିବ ଶରୀରକୁ ଭାରତ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି । ମ୍ତଦେହକୁ ଗୁଜରାଟ ଅହମଦାବାଦ ପଠାଯିବ, ଏହାପରେ ଉଜ୍ଜୈନକୁ ଆମ୍ବୁଲାନ୍ସ ଯୋଗେ ଅଣାଯିବ ।
