ଭାଗବତ ଟୁଙ୍ଗି ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗାଁରେ ବୋମାମାଡ଼ ୧୨ ଆହତ
ଯାଜପୁର : ଭାଗବତ ଟୁଙ୍ଗି ପାଇଁ ମହାଭାରତ । ଯାଜପୁର ସଦର ଥାନା ଅଧୀନସ୍ଥ ସିମିଳିଆ ପଂଚାୟତ ବୁଲାକିପୁର ଗାଁରେ ଭାଗବତ ଟୁଙ୍ଗି ନିର୍ମାଣକୁ କେନ୍ଦ୍ରକରି ତୁମୁଳକାଣ୍ଡ । ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଜାଗାକୁ ନେଇ ବିବାଦରୁ ବୋମାମାଡ଼ । ବୋମାମାଡ଼ ରେ ୧୨ ରୁ ଅଧିକ ଆହତ ହୋଇଛନ୍ତି ।
ଗତକାଲି ରାତିରେ ଭାଗବତ ଟୁଙ୍ଗି ନିର୍ମାଣ କାର୍ଯ୍ୟ ଆରମ୍ଭ ବେଳେ ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତାହା ପରେ ସଂଘର୍ଷର ରୂପ ନେଇଥିଲା । ବୋମାମାଡ଼ ସହ ବିଭିନ୍ନ ମାରଣାସ୍ତ୍ରରେ ପରସ୍ପର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅନେକ ଗାଡି କୁ ମଧ୍ୟ୍ୟ ଭଙ୍ଗା ରୁଜା କରାଯାଇଛି । ଘଟଣାରେ ଉଭୟ ପକ୍ଷରୁ ୧୨ ଜଣରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି । ପ୍ରଥମେ ସମସ୍ତ ଆହତଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ୩ଜଣ ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଯାଜପୁର ସଦର ଥାନା ପୋଲିସ ଦ୍ୱାରା ଘଟଣାର ତଦନ୍ତ ଜାରି ରହିଛି ।
