Bhubaneswar airport

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା

Spread the love

ଭୁବନେଶ୍ୱର: ରାଜ୍ୟର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସୁଧାର ଆସିବାକୁ ଯାଉଛି। ଖୁବଶୀଘ୍ର ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା ଆରମ୍ଭ ହେବ। ଏଥିସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ତୃତୀୟ ଏୟାର ଟର୍ମିନାଲକୁ ମଧ୍ୟ ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ବିମାନବନ୍ଦରର ସର୍ବାଙ୍ଗୀନ ଉନ୍ନତି ପାଇଁ ବୁଧବାର ଅନୁଷ୍ଠିତ ବିମାନବନ୍ଦର ପରାମର୍ଶଦାତା କମିଟି ବୈଠକରେ ଏହି ସୂଚନା ଦିଆଯାଇଛି।

ଭୁବନେଶ୍ୱର ଲୋକସଭା ସାଂସଦ ତଥା କମିଟିର ଅଧ୍ୟକ୍ଷା ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିମାନବନ୍ଦରର ଇଣ୍ଟିଗ୍ରେଟେଡ୍ ଅଫିସ୍ କମ୍ପ୍ଲେକ୍ସ ସମ୍ମିଳନୀ କକ୍ଷରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜୟପୁର ସହିତ ଆଗାମୀ ଦିନରେ ସୁରତ, ଶିରିଡି, ତିରୁପତି ଏବଂ ଭୋପାଳକୁ ନୂଆ ବିମାନ ସେବା ଆରମ୍ଭ କରିବା ନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଛି।

ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଶେଷ କରି ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ବିମାନବନ୍ଦର ପରିଚୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏଥିସହ ଏୟାର ହୋଷ୍ଟେସ୍ ହେବାକୁ ଇଚ୍ଛୁକ ଛାତ୍ରୀମାନଙ୍କ ପାଇଁ ସଚେତନତା ଶିବିର ଆୟୋଜନ କରାଯିବ।ବିମାନବନ୍ଦରରେ ଏରୋବ୍ରିଜ୍ ସଂଖ୍ୟା ବୃଦ୍ଧି ଓ ଏହାର ସଠିକ୍ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ଟର୍ମିନାଲ ଭିତରେ ଖୁବଶୀଘ୍ର ଏକ ବହି ଦୋକାନ ଖୋଲାଯିବ ବୋଲି ସାଂସଦ ସୂଚନା ଦେଇଛନ୍ତି।ବିମାନ ଚଳାଚଳରେ ବାଧା ସୃଷ୍ଟି କରୁଥିବା ନଡ଼ିଆ ଗଛ, ୱାଟକୋ ଜଳ ଟାଙ୍କି ଏବଂ ମୋବାଇଲ୍ ଟାୱାର ଭଳି ସୁରକ୍ଷା ଜନିତ ସମସ୍ୟାର ସମାଧାନ ପାଇଁ BMC, BDA ଏବଂ OUAT ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯିବ।

ଏହି ସମୀକ୍ଷା ବୈଠକରେ ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏକ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଯାତ୍ରୀ ସଂଖ୍ୟା ବୃଦ୍ଧି, କାର୍ଗୋ ପରିଚାଳନା ଏବଂ ସେବା ଗୁଣବତ୍ତା ଉପରେ ବିବରଣୀ ପ୍ରଦାନ କରିଥିଲେ। ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତ୍ୟେକ ୬ ମାସରେ ଥରେ ଏହି କମିଟି ବୈଠକ ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି।ବୈଠକରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା, ଆଇପିକୋଲ୍‌ ନିର୍ଦ୍ଦେଶିକା ଅବୋଲି ସୁନିଲ ନରଭାଣେ, BMC ଅତିରିକ୍ତ ଉପ-କମିଶନର, ADM, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ, ବିଭିନ୍ନ ବିମାନ ସେବା ସଂସ୍ଥାର ଷ୍ଟେସନ ମ୍ୟାନେଜର ଓ ସିଆଇଏସଏଫ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *