Cbse 1650767087

ଦ୍ୱାଦଶ ଶ୍ରେଣୀ ଖାତା ଯାଞ୍ଚ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ, ଖୋଲିଲା CBSE Re-evaluation ପୋର୍ଟାଲ୍

Spread the love

ନୂଆଦିଲ୍ଲୀ: CBSE ଦ୍ୱାଦଶ ଶ୍ରେଣୀ ଖାତା ଯାଞ୍ଚ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ! । CBSE ଖାତା ଯାଞ୍ଚ ପୋର୍ଟାଲ୍ ଖୋଲିଲା । ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଦିନେ ବିଳମ୍ବ ପରେ ଶେଷରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- CBSE ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖାତା ଯାଞ୍ଚ ଓ ପୁନଃ-ମୂଲ୍ୟାୟନ ପୋର୍ଟାଲକୁ ସକ୍ରିୟ କରିଛି । ଯେଉଁ ଛାତ୍ରଛାତ୍ରୀ ନିଜ ମାର୍କରେ ସନ୍ତୁଷ୍ଟ ନାହାନ୍ତି, ସେମାନେ ଏବେ ଅନଲାଇନରେ ଆବେଦନ କରିପାରିବେ।

ଗତକାଲିଠୁ ପୋର୍ଟାଲ୍ ଖୋଲିବାକୁ ଘୋଷଣା ହୋଇଥିଲେ ମଧ୍ୟ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ତେବେ କାଲି ବିଳମ୍ବିତ ରାତିରେ ଏହାକୁ ଲାଇଭ୍ କରାଯାଇଛି । ଯେଉଁ ପରୀକ୍ଷାର୍ଥୀ ନିଜର ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇସାରିଛନ୍ତି, ସେମାନେ CBSE ର ଅଫିସିଆଲ୍ ପୋଷ୍ଟ-ରେଜଲ୍ଟ ପୋର୍ଟାଲ୍ ଜରିଆରେ Re-evaluation ପାଇଁ ଆପ୍ଲାଇ କରିପାରିବେ । ବୋର୍ଡ ପକ୍ଷରୁ- ‘X’ ରେ ଦିଆଯାଇଥିବା ସୂଚନା ଅନୁସାରେ ଏହି ପ୍ରକ୍ରିୟା postresult.cbseit.in/pvr/ ୱେବସାଇଟରେ ଉପଲବ୍ଧ ଅଛି । ଛାତ୍ରଛାତ୍ରୀ ନିଜର ଆଇଡି-ପାସୱାର୍ଡ ଦେଇ ଲଗ୍-ଇନ୍ କରିପାରିବେ । ଯେଉଁ ନିର୍ଦ୍ଦିଷ୍ଟ ପ୍ରଶ୍ନ ବା ବିଷୟକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛନ୍ତି, ତାହା ବାଛି ନିର୍ଦ୍ଧାରିତ ଫିସ୍ ଅନଲାଇନରେ ଜମା କରିପାରିବେ। କେବଳ ୨୦୨୬ ବୋର୍ଡ ପରୀକ୍ଷା ଦେଇଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଖାତା ଯାଞ୍ଚ କରିପାରିବେ। ଆବେଦନ କେବଳ ଅନଲାଇନ୍ ମୋଡରେ ହିଁ ଗ୍ରହଣ କରାଯିବ ।

ଏଥିପାଇଁ ପ୍ରଥମେ CBSE ର ଅଫିସିଆଲ୍ ପୋର୍ଟାଲ୍ କୁ ଯାଇ ଲଗ୍-ଇନ୍ କରିବାକୁ ହେବ । ନିଜର ବିଷୟ ଏବଂ ଚ୍ୟାଲେଞ୍ଜ କରିବାକୁ ଥିବା ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡ଼ିକୁ ସିଲେକ୍ଟ କରନ୍ତୁ । ଯଦି ଆବଶ୍ୟକ ହୁଏ, ତେବେ ଅଣ୍ଡରଟେକିଂ ଅପଲୋଡ୍ କରନ୍ତୁ । ଶେଷରେ ଅନଲାଇନ୍ ପେମେଣ୍ଟ ମାଧ୍ୟମରେ ଫିସ୍ ଦାଖଲ କରିବାକୁ ହେବ । ଆବେଦନ କରିବା ପୂର୍ବରୁ CBSE ପକ୍ଷରୁ ଜାରି କରାଯାଇଥିବା ଷ୍ଟେପ୍-ବାଇ-ଷ୍ଟେପ୍ ଭିଡିଓ ଗାଇଡ୍ କୁ ଭଲଭାବେ ଦେଖିନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ଦେଖାଦେଇଥିବା ବୈଷୟିକ ତ୍ରୁଟି ଓ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଏଥର CBSE ବଡ଼ ପଦକ୍ଷେପ ନେଇଛି । ଏହି ପ୍ଲାଟଫର୍ମକୁ ଅଧିକ ମଜବୁତ ଓ ସ୍ୱଚ୍ଛ କରିବା ପାଇଁ IIT କାନପୁର ଓ IIT ମାଦ୍ରାସର ୪ ଜଣିଆ ବିଶେଷଜ୍ଞ ଦଳଙ୍କ ସହାୟତା ନିଆଯାଇଛି । ପୋର୍ଟାଲ୍ ଖୋଲିବା ମାତ୍ରେ ୱେବସାଇଟ୍ ସାମାନ୍ୟ ସ୍ଲୋ ହୋଇପାରେ । ତେଣୁ ଧୈର୍ଯ୍ୟର ସହ ଆପ୍ଲାଇ କରିବାକୁ କୁହାଯାଇଛି । ଛାତ୍ରଛାତ୍ରୀ ନିଜର ରୋଲ୍ ନମ୍ବର, ସ୍କୁଲ୍ ନମ୍ବର ଓ ଆଡମିଟ୍ କାର୍ଡ ଡିଟେଲ୍ସ ପାଖରେ ରଖିବା ସହ ଓ ଷ୍ଟାଟସ୍ ଅପଡେଟ୍ ପାଇଁ ନିୟମିତ ପୋର୍ଟାଲ୍ ଚେକ୍ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *