Suspended

ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା

Spread the love

ଜଗତସିଂହପୁର: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସେହିପରି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ଅବକାରୀ ଅଧୀକ୍ଷକଙ୍କ ଦରମା ବନ୍ଦ ପାଇଁ ବିଭାଗକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ।
ମିଳିଥିବା ସୂଚନା ଅନୁସାରେ, ଗତ ୨୨ ତାରିଖରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଅଠରବାଙ୍କୀ ଠାରେ ସର୍ବସାଧାରଣରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା। ମଦୁଆ ଧରପଗଡ଼ କରା ଯାଇଥିଲା। ସେହି ସମୟରେ ପାରାଦୀପ ରେଞ୍ଜ ଅବକାରୀ ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଖୋଜା ପଡ଼ିଥିଲା। କିନ୍ତୁ ସେ ଅନୁପସ୍ଥିତ ଥିଲେ। ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକଙ୍କୁ ମଧ୍ୟ ଅବଗତ କରା ଯାଇଥିଲା। ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକ ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ପାହାଳସ୍ଥିତ ତାଙ୍କ ଘରକୁ ଯାଇଥିବା ଜଣାପଡ଼ିଥିଲା।
ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅବକାରୀ ଅଧୀକ୍ଷକ କାର୍ଯ୍ୟାନୁଷ୍ଠାନ ନ ନେଇ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ। ଜିଲ୍ଲାପାଳ ଏ କଥା ଜାଣିବା ପରେ ଅବକାରୀ ଅଧୀକ୍ଷକଙ୍କ ଉପରେ କ୍ଷୁବ୍ଧ ହେବା ସହ କାରଣଦର୍ଶାଅ ମାଗିଥିଲେ। ଏହାପରେ ଇନ୍ସପେକ୍ଟରଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ କମିସନରଙ୍କୁ ଚିଠି ଲେଖିଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ଅବକାରୀ ଅଧୀକ୍ଷକଙ୍କ ଦରମା ବନ୍ଦ ପାଇଁ ବିଭାଗକୁ ଚିଠି ଲେଖା ଯାଇଥିବା ଜଣାପଡ଼ିଛି। ଏ ନେଇ ଅବକାରୀ ଅଧୀକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *