Cm 8 e1779807561976 300x183

ପ୍ରଧାନମନ୍ତ୍ରୀଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Spread the love

ଭୁବନେଶ୍ବର: ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ମିଳିଲା କି ଗ୍ରୀନ୍ ସିଗନାଲ  ?  କାଲି ପିଏମ, ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଭେଟଘାଟ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ବଢିଲା ଚର୍ଚ୍ଚା। ଖୁବଶୀଘ୍ର ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ ।

ରାଜ୍ୟରେ ବିକାଶମୂଳକ କାମ ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ବର୍ତ୍ତମାନର ମନ୍ତ୍ରୀମାନଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ରହିଛି। ଶାସନରେ ଦକ୍ଷତା ବୃଦ୍ଧି ପାଇଁ ମନ୍ତ୍ରୀ ସଂଖ୍ୟା ୧୬ରୁ ବଢ଼ାଇ ୨୨ କରାଯାଇ ପାରେ। କିଛି ନୂଆ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ସମ୍ଭାବନା ରହିଛି। କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହୋଇପାରେ ଏବଂ କିଛି ମନ୍ତ୍ରୀଙ୍କୁ ଦଳୀୟ ସଂଗଠନରେ ନିୟୋଜିତ କରାଯାଇ ପାରେ। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସବୁଜ ସଙ୍କେତ ମିଳିଥିବା କୁହାଯାଉଛି।

ଆଞ୍ଚଳିକ ଏବଂ ଜାତିଗତ ସମୀକରଣକୁ ସନ୍ତୁଳିତ କରିବା ପାଇଁ ନୂଆ ଚେହେରାଙ୍କୁ ସାମିଲ କରିବାକୁ ଦଳ ଭିତରେ ଦାବି ହୋଇ ଆସୁଛି। ଆସନ୍ତା ବର୍ଷ ପଞ୍ଚାୟତ ନିର୍ବାଚନ । ତାକୁ ଦୃଷ୍ଟିରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଖୁବଶୀଘ୍ର କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଆଞ୍ଚଳିକ ସନ୍ତୁଳନକୁ ଦୃଷ୍ଟିରେ ରଖି କ୍ୟାବିନେଟରେ ପରିବର୍ତ୍ତନ କରାଯିବ। ​ଜୁନ୍ ୧୨ ତାରିଖରେ ବିଜେପି ସରକାରର ଦୁଇ ବର୍ଷ ପୂରଣ ହେବାକୁ ଯାଉଛି।

ଦୁଇ ବର୍ଷ ପୂର୍ତ୍ତି ସମୟରେ ରାଜ୍ୟବାସୀଙ୍କୁ କିଛି ବଡ଼ ଉପହାର ଦେଇ ପାରନ୍ତି ସରକାର । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପରେ ମନ୍ତ୍ରିମଣ୍ଡଳ ସମ୍ପର୍କରେ କିଛି ଘୋଷଣା ଆସିପାରେ।  ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା ଦେଇଛନ୍ତି ।  ସେ କହିଛନ୍ତି, ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ମନ୍ତ୍ରି ମଣ୍ଡଳ ସମ୍ପ୍ରସାରଣ ।

କେବଳ ସମ୍ପ୍ରସାରଣ ବିଷୟ ନୁହେଁ, ତାହା ସହ ନିଗମ ଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।  ଖୁବଶୀଘ୍ର ଏହା ଶେଷ ହେବ ।  ସେହିପରି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ।  ସେ ଯେବେ ଚାହିଁବେ ମନ୍ତ୍ରି ମଣ୍ଡଳ ସମ୍ପ୍ରସାରଣ କରିପାରିବେ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *