Gdif54ebizogwxnr3hum

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଇଞ୍ଜେକସନ୍ ଦେଇ ହତ୍ୟା, ୨ ଗିରଫ

Spread the love

ଜଗତସିଂହପୁର  : ଜଗତସିଂହପୁର ସହରର ଥିବା ‘ସୁଧାର’ ନିଶା ନିବାରଣ କେନ୍ଦ୍ରର ଜଣେ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼ ସହ ଇଞ୍ଜେକସନ୍ ଦେଇ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଜଗତସିଂହପୁର ଥାନା ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଗିରଫ  କରିଛି। ସେହିପରି ନିଶା ନିବାରଣ କେନ୍ଦ୍ରକୁ ସିଲ୍ କରିବା ସହ ସିସିଟିଭି ଫୁଟେଜ ଜବତ କରିଛି ତଦନ୍ତକାରୀ ଟିମ୍। ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ମୃତ ଅନ୍ତେବାସୀ ତିର୍ତ୍ତୋଲ ନାଗପୁର ଅଞ୍ଚଳର ଅନିରୁଦ୍ଧ ଲେଙ୍କା। ଗତ ତିନି ଦିନ ତଳେ ତାଙ୍କୁ ଖେରସ ଠାରେ ଥିବା ‘ସୁଧାର’ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ଅନିରୁଦ୍ଧ ଅସ୍ବାଭାବିକ ଆଚରଣ କରିଥିଲେ। ଏହା ପରେ କର୍ମଚାରୀ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ କାବୁ କରିଥିଲେ। କର୍ମଚାରୀ ଫୋନ୍ ଯୋଗେ ଜନୈକ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ସମ୍ପୃକ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଦୁଇ କର୍ମଚାରୀ ମାଡ଼ି ବସି ଅନିରୁଦ୍ଧଙ୍କୁ ଇଞ୍ଜେକସନ୍ ଦେଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ଇଞ୍ଜେକସନ୍ ଦେବା ପରେ ଅନିରୁଦ୍ଧ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। କର୍ମଚାରୀମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ଅନିରୁଦ୍ଧଙ୍କ ଶରୀରରେ ଦାଗ ରହିଛି। ଅତ୍ୟଧିକ ମାଡ଼, ଇଞ୍ଜେକସନ୍ ଦେଇ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଶନିବାର ସକାଳ ପ୍ରାୟ ୬ଟାରେ ଅନିରୁଦ୍ଧଙ୍କୁ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଶରୀରରେ ମାଡ଼ ଚିହ୍ନ ରହିଥିବା ଡାକ୍ତରେ ଦେଖିଥିଲେ। ଏହା ପରେ ମେଡିକାଲ ପୁଲିସ ସହାୟତା କେନ୍ଦ୍ରକୁ ଖବର ଦିଆ ଯାଇଥିଲା। ମେଡିକାଲ ପୁଲିସ ପହଞ୍ଚି ଥାନାକୁ ଅବଗତ କରିଥିଲେ। ଜଗତସିଂହପୁର ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଏ ସଂକ୍ରାନ୍ତରେ ଅନିରୁଦ୍ଧଙ୍କ ପୁଅ ଅବିନାଶ ଲେଙ୍କା ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିଛି।

ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଯେଉଁ ଇଞ୍ଜେକସନ୍ ଦିଆ ଯାଇଥିଲା ତାହାର ଟ୍ୟୁବ୍ ଖୋଜିବା ଲାଗି ଘଟଣାସ୍ଥଳରେ ଛାନଭିନ୍ କରିଥିଲା। କିନ୍ତୁ ସେହି ଇଞ୍ଜେକସନକୁ ଦୁଇ କର୍ମଚାରୀ ଫିଙ୍ଗି ଦେଇଥିବା ପୁଲିସ ଜାଣିବାକୁ ପାଇଛି। ରବିବାର ଦୁଇ ଜଣଙ୍କୁ ଧରି ପୁଲିସ ଘଟଣାସ୍ଥଳରେ ଛାନଭିନ୍ କରିବା ସହ କେଉଁଠି ଫିଙ୍ଗିଥିଲେ ସେହି ସ୍ଥାନକୁ ନିଆଯିବ ବୋଲି ସୂଚନା ମିଳିଛି। ସେହପରି ଇଞ୍ଜେକସନ୍ ଦେବା ଲାଗି ଫୋନ୍ ଯୋଗେ ଯେଉଁ ଡାକ୍ତର ପରାମର୍ଶ ଦେଇଥିଲେ ତାଙ୍କୁ ମଧ୍ୟ ତଦନ୍ତ ପରିସଭୂକ୍ତ କରିଛି ପୁଲିସ। ଡାକ୍ତରଙ୍କୁ ମଧ୍ୟ ଏ ସମ୍ପର୍କରେ ପଚରାଉଚରା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *