Kharif peddy sale

’ଧାନ କିଣା ପ୍ରକ୍ରିୟାରେ ଖାମଖିଆଲି ମନୋଭାବ ବରଦାସ୍ତ କରାଯିବ’ ନାହିଁ : ଯୋଗାଣ ବିଭାଗ ପ୍ରମୁଖ ସଚିବ

Spread the love

ଭୁବନେଶ୍ୱର: ଧାନ କିଣା ପ୍ରକ୍ରିୟାରେ କୌଣସି ପ୍ରକାର ଖାମଖିଆଲି ମନୋଭାବ କିମ୍ବା ନିୟମ ଉଲ୍ଲଂଘନକୁ ଆଦୌ ବରଦାସ୍ତ କରାଯିବ ନାହିଁ। ସଚିବାଳୟରେ ବିଭାଗୀୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଥିବା ସମୀକ୍ଷା ବୈଠକରେ ଅଫିସରମାନଙ୍କୁ ସିଧାସଳଖ ନାଲି ଆଖି ଦେଖାଇଛନ୍ତି ଖାଦ୍ୟ ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂ। କାର୍ଯ୍ୟରେ ଅବହେଳା କରିଥିବା କିଛି ଜିଲ୍ଲାର ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ସେ ସମସ୍ତଙ୍କ ସାମ୍ନାରେ କଡ଼ା ତାଗିଦ କରିଛନ୍ତି।

ସବୁଠାରୁ ବଡ଼ ପ୍ରଶାସନିକ ଛାଟ ବାଜିଛି ଭଦ୍ରକ ସିଏସଓଙ୍କ ଉପରେ। ଧାନ କିଣା କାର୍ଯ୍ୟରେ ସରକାରୀ ନିୟମ ବାହାରକୁ ଯାଇ ବେଆଇନ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରିଥିବାରୁ ସଚିବ ତାଙ୍କୁ କଠୋର ପ୍ରଶ୍ନ କରିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଏଥିପାଇଁ ନିଜ ଦରମାରୁ ହିଁ ପଇସା କଟିବ। ଏହାସହ ସରକାରୀ ଚିଠିର ଉତ୍ତର ଦେଉନଥିବାରୁ ସେ ଭଦ୍ରକ ସିଏସଓଙ୍କ ଉପରେ ପ୍ରବଳ ଅସନ୍ତୋଷ ଝାଡ଼ିଛନ୍ତି।

ଅପରପକ୍ଷରେ, ଚାଉଳ ଡେଲିଭରୀରେ ଅହେତୁକ ବିଳମ୍ବକୁ ନେଇ ଜଗତସିଂପୁର ସିଏସଓଙ୍କୁ ସିଧାସଳଖ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି। ବଲାଙ୍ଗୀର ଓ ଢେଙ୍କାନାଳ ସିଏସଓଙ୍କୁ ମଧ୍ୟ କାର୍ଯ୍ୟଶୈଳୀ ସଧାରିବାକୁ ତାଗିଦ କରାଯାଇଛି। ସେହିପରି କୋରାପୁଟ ଜିଲ୍ଲାରେ ଚାଷୀଙ୍କ ଯାଞ୍ଚ ପ୍ରକ୍ରିୟା ମନ୍ଥର ଚାଲିଥିବାରୁ ସଚିବ ତୀବ୍ର ବିରକ୍ତି ପ୍ରକାଶ କରିଛନ୍ତି। ସରକାରୀ ସ୍ତରରେ ପ୍ରମୁଖ ସଚିବଙ୍କ ଏହି କଡ଼ା ଆଭିମୁଖ୍ୟ ଏବେ ସାରା ରାଜ୍ୟର ଯୋଗାଣ ଅଧିକାରୀଙ୍କ ମହଲରେ କମ୍ପନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *