Vf dfvfdf

କିନ୍ନରଙ୍କୁ ଜୀବନସାଥି କଲେ ଯୁବକ

Spread the love

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଛି ନିଆରା ବାହାଘର। କିନ୍ନରଙ୍କୁ ବିବାହ କରିଛନ୍ତି ଜଣେ ଯୁବକ। ଉମରକୋଟ କିନ୍ନର ଆଖଡ଼ା ଗୃହରେ ଏହି ବାହାଘର ଧୂମଧାମରେ ସମ୍ପନ୍ନ ହୋଇଛି। ବାହା ହେବା ପରେ ଘର ସଂସାର କରିବାକୁ ନିଷ୍ପତ୍ତି ନେଇଛନ୍ତି ନବ ଦମ୍ପତି। ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ଏହି ପ୍ରେମ ବିବାହର ଭିଡ଼ିଓ। ଯୁବକ ଜଣକ ହେଉଛନ୍ତି ଜଗତସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳର ସତ୍ୟଜିତ ଆଚାର୍ଯ୍ୟ। ସେ ଦୁଇବର୍ଷ ତଳେ ସାମାଜିକ ଗଣମାଧ୍ୟମରେ କଳାହାଣ୍ଡି ଜିଲାର କିନ୍ନର ଶିବାନୀ ସାହୁଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ସମୟ ଗଡ଼ିବା ସହ ବନ୍ଧୁତ୍ୱ ପ୍ରେମରେ ପରିଣତ ହେଲା। ଦୁଇବର୍ଷର ପ୍ରେମ ପରେ ବିବାହ ପାଇଁ ଉଭୟେ ନିଷ୍ପତ୍ତି ନେଇଥିଲେ। ଇତିମଧ୍ୟରେ ଶିବାନୀ କଳାହାଣ୍ଡିରୁ ନବରଙ୍ଗପୁର ଜିଲା ଉମରକୋଟର ଦେବାଲିନା ଆଚାର୍ଯ୍ୟଙ୍କ ଆଖଡ଼ାକୁ ଆସି ରହିଥିଲେ।

କିଛିଦିନ ତଳେ ଶିବାନୀ ସତ୍ୟଜିତଙ୍କୁ ବିବାହ କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ଆଖଡ଼ା ଗୁରୁମା ଦେବଲିନା ସତ୍ୟଜିତଙ୍କ ସହ କଥା ହେଲେ। ସତ୍ୟଜିତ ଏହି ବିବାହକୁ ସମ୍ମତି ଜଣାଇଥିଲେ। ଉଭୟଙ୍କ ନିଷ୍ପତ୍ତିକୁ ସତ୍ୟଜିତଙ୍କ ପରିବାରକୁ ଜଣାଇବାରୁ ସେମାନେ ପ୍ରଥମେ ଏଭଳି ବିବାହକୁ ବିରୋଧ କରିଥିଲେ ମଧ୍ୟ ପରେ ପୁଅର ପ୍ରେମ ଆଗରେ ମୁଣ୍ଡ ନୂଅାଁଇ ଥିଲେ। କିନ୍ତୁ ଶିବାନୀ ସାହୁଙ୍କ ପରିବାର ଲୋକେ ବିବାହକୁ ବିରୋଧ କରିଥିଲେ। ତେବେ ଦୁଇ ଜଣ ସାବାଳକ ହୋଇଥିବା ଯୋଗୁଁ ଆଖଡ଼ାର ନିଷ୍ପତ୍ତି କ୍ରମେ ଗନ୍ଧର୍ବ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ନାଚଗୀତ ସହ ଭୋଜି ଭାତର ଆସର ଜମିଥିଲା। ସ୍ଥାନୀୟ ଲୋକେ ବିବାହ ଓ ଭୋଜିରେ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ବର୍ତ୍ତମାନ ନବ ଦମ୍ପତି ଉମରକୋଟରେ ରହୁଛନ୍ତି। କିଛି ଦିନ ପରେ ସତ୍ୟଜିତର କର୍ମ କ୍ଷେତ୍ରକୁ ଦୁହେଁ ଚାଲିଯିବେ ଓ ନୂଆ ପରିବାର ଆରମ୍ଭ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *