00000

ବଣ୍ଡାଘାଟିରେ ବାଟ ହୁଡ଼ିଛି ବିକାଶ: ୮ କିମି ଗଲେ ମିଳୁଛି ରାସନ

Spread the love

ମାଲକାନଗିରି: ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ବିକାଶ ପାଇଁ ଯୋଜନା ଓ ଅନୁଦାନର ଅଭାବ ନାହିଁ। ସରକାରୀ ଯୋଜନାକୁ ଛାଡ଼ିଲେ ସ୍ବତନ୍ତ୍ର ଭାବେ କାମ କରୁଛି ବଣ୍ଡା ଉନ୍ନୟନ ସଂସ୍ଥା। ବାର୍ଷିକ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳି ଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ‌ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି ବଣ୍ଡାଘାଟିର ବରଗୁଡ଼ା ଗ୍ରାମବାସୀ।
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ମୁଦୁଲିପଡ଼ା ପଞ୍ଚାୟତରୁ ୮ କିମି ଦୂରରେ ରହିଛି ବରଗୁଡ଼ା। ଗାଁରେ ବସବାସ କରୁଛନ୍ତି ୩୦ରୁ ଅଧିକ ପରିବାର। ଜନସଂଖ୍ୟା ୨୫୦ରୁ ଊର୍ଧ୍ବ। ଗାଁରେ ସ୍କୁଲ୍‌, ଅଙ୍ଗନବାଡ଼ି କେନ୍ଦ୍ର ନ ଥିବାରୁ ପିଲାମାନେ ପାଠ ପଢ଼ିବାକୁ ହେଲେ ୨ କିମି ପାହାଡ଼ ଚଢ଼ୁଛନ୍ତି। ପିଲାଡଙ୍ଗର ଗ୍ରାମରେ ଥିବା ସ୍କୁଲକୁ ଯିବାକୁ ହେଲେ ଜଙ୍ଗଲ, ପାହାଡ଼ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ଯେଉଁଥି ପାଇଁ ନିୟମିତ ସ୍କୁଲକୁ ଯାଉନାହାନ୍ତି ପିଲା। ୩୦ରୁ ଊର୍ଦ୍ଧ୍ବ ପିଲା ଘରେ ରହି ବିଭିନ୍ନ କାମରେ ନିୟୋଜିତ ହୋଇଛନ୍ତି। ୨ କିମି ଦୂରରେ ଥିବା ଅଙ୍ଗନବାଡ଼ିକୁ ଯାଇପାରୁ ନ ଥିବାରୁ ଶିଶୁମା‌ନେ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଛନ୍ତି। ଗର୍ଭବତୀଙ୍କ ନିୟମିତ ପରୀକ୍ଷା ବି ହୋଇପାରୁନି। ସର୍ବନିମ୍ନ ସୁବିଧା ଭାବେ ଗାଁକୁ ଯାତାୟାତ ପାଇଁ ନିର୍ମାଣ ହୋଇନି ରାସ୍ତା। ପାହାଡ଼ିଆ ରାସ୍ତା ଯାତାୟାତର ମାଧ୍ୟମ ପାଲଟିଛି। ଫଳରେ ଗ୍ରାମବାସୀ ପାଦରେ ଚାଲି ଚାଲି ଯାଇ ପଞ୍ଚାୟତ ସଦର ମହକୁମାରୁ ରାସନ ଓ ଭତ୍ତା ସଂଗ୍ରହ କରୁଛନ୍ତି।
ମୁଦୁଲିପଡ଼ା ପଞ୍ଚାୟତ ସଦର ମହକୁମାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ଭାର ଓ ଖଟିଆରେ ବୋହିବାକୁ ପଡ଼ୁଛି। ସେହିପରି ଗାଁରେ କୂଅ କିମ୍ବା ନଳକୂଅ ନ ଥିବାରୁ ଶୋଷ ମେଣ୍ଟାଇବା ପାଇଁ ବଣ୍ଡା ମହିଳାଙ୍କୁ ପାହାଡ଼ ଉପରେ ମାଇଲ ମାଇଲ ବାଟ ଚାଲି ଝରଣାରୁ ପାଣି ଆଣିବାକୁ ପଡ଼ୁଛି। ବହୁବର୍ଷ ତଳେ ଗାଁକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ଖୁଣ୍ଟ ପୋତିଥିଲା ପ୍ରଶାସନ। ହେଲେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ଡିବିରି ଆଲୁଅରେ ରାତି କାଟୁଛନ୍ତି ବରଗୁଡ଼ା ଗ୍ରାମବାସୀ। ଜୀବନ ଜୀବିକା ପାଇଁ ଚାଷ ଏକ ମାତ୍ର ମାଧ୍ୟମ ହୋଇଥିବା ବେଳେ କୌଣସି ପରିବାର ପାଖରେ ନିଜସ୍ବ ଜମି ନାହିଁ। ପୋଡ଼ୁଚାଷ ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ହାଟ ବଜାରରେ ବିକ୍ରି କରି ତା ବଦଳରେ ଅତ୍ୟାବଶ୍ୟକ ସାମଗ୍ରୀ ଆଣିଥାନ୍ତି। ମୋବାଇଲ୍‌ ନେଟ୍‌ୱର୍କ ନ ଥିବାରୁ ଗ୍ରାମବାସୀଙ୍କୁ ହୀନସ୍ତା ହେବାକୁ ପଡ଼ୁଛି।

Leave a Reply

Your email address will not be published. Required fields are marked *