Whatsapp imag 2026 02 11 20 09 42

କରେଣ୍ଟ୍ ଲାଗି ଟ୍ରକ୍ ସହ ଜଳିଗଲେ ଚାଳକ

Spread the love

ଟମକା: ଯାଜପୁର ଜିଲ୍ଲା ଟମକା ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ‌ରେ ଆଜି ଏକ ଦୁର୍ଘଟଣାରୁ ବିଦ୍ୟୁତ୍ କରେଣ୍ଟ୍‌ ସଂସ୍ପର୍ଶରେ ଆସି ଏହାର ଚାଳକ ପୋଡ଼ିହୋଇ ପ୍ରାଣ ହରାଇଛନ୍ତି। ଏଥିସହ ଟ୍ରକ୍‌ର ବିଦ୍ୟୁତ୍ ଲାଇନ ସଂପୂର୍ଣ୍ଣ ଭାବେ ଓ କ୍ୟାବିନ ଆଂଶିକ ପୋଡ଼ି ଯାଇଛି। ମୃତ ଡ୍ରାଇଭର ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା କ‌ହ୍ନେଇପାଳ ଗାଁର ଅନ୍ତର୍ଯ୍ୟାମୀ ସାହୁ(୪୬)। ସେ କାଳିଆପାଣି ଟାଉନସିପର ଏସ୍‌. ରାମ ମୂର୍ତ୍ତିଙ୍କ ଟ୍ରକ୍‌(ଓଆର୍‌-୦୯ଏଫ୍‌-୭୬୧୩) ଚଳାଉଥିଲେ। କଳିଙ୍ଗନଗର ଜିନ୍ଦଲ କାରଖାନାରେ କ୍ରୋମାଇଟ୍‌ ଖଲାସ କରି କାଳିଆପାଣି ଫେରିବା ବାଟରେ ରାଇଘାଟି ପାଖ ରାସ୍ତାର ବାମପାର୍ଶ୍ବ ଟୁଙ୍ଗେଇଶୁଣି ଗାଁର ଏକ ବିଦ୍ୟୁତ୍ ଖୁଣ୍ଟରେ ଟ୍ରକ୍‌ ପିଟି ହୋଇଥିଲା। ଖୁଣ୍ଟ ଭାଙ୍ଗି ଏହାର ସ୍ରୋତ ପ୍ରବାହିତ ତାର କ୍ୟାବିନରେ ପଡ଼ି ଯାଇଥିଲା।

କରେଣ୍ଟ୍‌ ଝଟକା ଲାଗିବା ପରେ ସେ ତଳକୁ ଡେଇଁ ପଡ଼ିବା ଉଦ୍ୟମ କରୁଥିଲେ। ଡୋର୍‌ ହାଣ୍ଡଲ ଧରିବା ମାତ୍ରେ ସେ ରାସ୍ତା କଡ଼କୁ ଛାଟିହୋଇ ପଡ଼ିଥିଲେ। ତାଙ୍କ ପ୍ୟାଣ୍ଟ୍‌ ଓ ଟି’ସାର୍ଟ ପୋଡ଼ି ଯାଇଥିଲା। ଟ୍ରକ୍‌ ଆଗ ଚକ ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ନବନିଯୁକ୍ତ ଥାନା ଅଧିକାରୀ ବିନତି ଦାସ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କ୍ରେନ୍‌ ଦ୍ବାରା ଟ୍ରକ୍‌ ଉଦ୍ଧାର ପରେ ଅନ୍ତର୍ଯ୍ୟାମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏ ସଂକ୍ରାନ୍ତରେ ଥାନାରେ ଏକ କେସ୍ ୧୩/୨୬ ରୁଜୁ କରାଯାଇଛି। ପୁଲିସ ଉକ୍ତ ଟ୍ରକ୍‌ ଜବତ କରିଛି। ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରହିଥିବା ପୁଲିସ କହିଛି।

Leave a Reply

Your email address will not be published. Required fields are marked *