ରାଜ୍ୟ ଜେଲ୍ ଡିଜିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଚୌଦ୍ୱାର ଥାନାରେ ମାମଲା
କଟକ: ରାଜ୍ୟ ଜେଲ୍ ଡିଜିଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଧମକ ଅଭିଯୋଗ । ଚୌଦ୍ୱାର ଥାନାରେ ସଙ୍ଗୀନ ମାମଲା ରୁଜୁ । ଚୌଦ୍ୱାର ସର୍କଲ ଜେଲ୍ ର ପୂର୍ବତନ ମହିଳା ଜେଲର୍ ସନ୍ତୋଷିନୀ ଦାଶ ଆଣିଲେ ସାଂଘାତିକ ଅଭିଯୋଗ । ହୋଟେଲକୁ ଏକାକୀ ଡାକିବା, କ୍ୟାରିୟର ନଷ୍ଟ କରିବାକୁ ଧମକ ଦେବା ଓ ପ୍ରତିଶୋଧମୂଳକ ନିଲମ୍ବନ ନେଇ ଏଫ୍ ଆଇଆର୍ ହୋଇଛି । ଡିଜି ସୁଶାନ୍ତ ନାଥ ଓ ସହଯୋଗୀଙ୍କ ବିରୋଧରେ ବିଏନ୍ ଏସ୍ ଧାରାରେ କେସ୍ ରୁଜୁ ହେବାସହ ଏ ସମ୍ପର୍କରେ ଗୃହ ସଚିବଙ୍କୁ ଅବଗତ କରାଇଲା ଜଣାଇଲେ କଟକ ଡିସିପି । ସନ୍ତୋଷିନୀ ଦାଶଙ୍କ ଲିଖିତ ଅଭିଯୋଗ ଆଧାରରେ ଚୌଦ୍ୱାର ଥାନାରେ କେସ୍ ରୁଜୁ ହୋଇଛି ।
ଭାରତୀୟ ନ୍ୟାୟ ସଂହିତା BNSର ଧାରା ୭୫(୨)ରେ ଯୌନ ନିର୍ଯାତନା, ଧାରା ୩୫୧(୨)ରେ ଅପରାଧିକ ଧମକ ଏବଂ ଧାରା ୩(୫)ରେ ମିଳିତ ଅପରାଧିକ ଉଦ୍ଦେଶ୍ୟ ଅନୁଯାୟୀ ମାମଲା ପଞ୍ଜୀକୃତ ହୋଇଛି । ଚୌଦ୍ୱାର ଥାନା ଆଇଆଇସି ଇନ୍ସପେକ୍ଟର ବିକାଶ ସେଠୀଙ୍କୁ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଭାର ଦିଆଯାଇଛି । ଦାଖଲ ହୋଇଥିବା ଅଭିଯୋଗ ପତ୍ରରେ ପୂର୍ବତନ ମହିଳା ଜେଲର୍ ଅନେକ ଚାଞ୍ଚଲ୍ୟକର ତଥ୍ୟ ଉଲ୍ଲେଖ କରିଛନ୍ତି । ଜେଲ୍ ଡିଜିଙ୍କ ବନ୍ଧୁ ବୋଲି ପରିଚୟ ଦେଇ କୁଲଦୀପ ରଥ ନାମକ ଜଣେ ବ୍ୟକ୍ତି ଜେଲ୍ ପରିଦର୍ଶନ ପରେ ତାଙ୍କ ମୋବାଇଲ୍ ନମ୍ବର ସଂଗ୍ରହ କରିଥିଲେ । ଏହାପରେ ସେ ସନ୍ତୋଷିନୀଙ୍କ ନିକଟକୁ ଅଶାଳୀନ ତଥା ଇଙ୍ଗିତପୂର୍ଣ୍ଣ ଇମୋଜି ପଠାଉଥିଲେ । କେବଳ ସେତିକି ନୁହେଁ, ୨୯ ଅଗଷ୍ଟ ୨୦୨୫ ଏବଂ ୨୫/୨୬ ସେପ୍ଟେମ୍ବର ୨୦୨୫ରେ ଡିଜି ତାଙ୍କୁ ଏକାକୀ ଭେଟିବାକୁ ଚାହୁଁଛନ୍ତି ବୋଲି କହି ଏକ ହୋଟେଲ୍ ରେ ଡିନର୍ କରିବା ପାଇଁ ଡାକିଥିଲେ । କିନ୍ତୁ ମହିଳା ଜେଲର୍ ଏହି ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲେ ।
ଅଭିଯୋଗକାରିଣୀଙ୍କ କହିବା ଅନୁସାରେ, ସେ ହୋଟେଲ୍ ଯିବାକୁ ମନା କରିବା ପରେ ତାଙ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ୭ ଏବଂ ୮ ସେପ୍ଟେମ୍ବର ୨୦୨୬ରେ ହୋଇଥିବା ବୈଠକରେ ଡିଜି ସୁଶାନ୍ତ କୁମାର ନାଥ ତାଙ୍କୁ କହିଥିଲେ ଯେ, ଯଦି ତୁମେ ମୋତେ ଦେଖା କରିବାକୁ ଆସିଥାନ୍ତ, ତେବେ ଆଜି ଏସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା । ଏଥିସହିତ ତତ୍କାଳୀନ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ଥିବା ଏଫ୍ ଆଇଆର୍ କୁ ପ୍ରତ୍ୟାହାର କରିବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା ଏବଂ ଚାକିରିରୁ ବହିଷ୍କାର ସହ ଶାରୀରିକ କ୍ଷତି ପହଞ୍ଚାଇବାକୁ ଧମକ ଦିଆଯାଇଥିଲା ।
ଅଭିଯୋଗ ଅନୁସାରେ, ତାଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ୧୯ ଫେବୃଆରୀ ୨୦୨୬ରେ ଚାକିରିରୁ ନିଲମ୍ବିତ କରାଯାଇଥିଲା । ତାଙ୍କର ନିୟମିତ ଦରମା ସହ ଭତ୍ତା ବନ୍ଦ କରି ଦିଆଯାଇଛି ଏବଂ ତାଙ୍କ ବିରୋଧରେ ୫ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇ ମାନସିକ ଓ ଆର୍ଥିକ ନିର୍ଯାତନା ଦିଆଯାଉଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କାରାଗାର ନିର୍ଦ୍ଦେଶାଳୟ ତଥା ପୋଲିସ ପ୍ରଶାସନ ମଧ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି । କଟକ ଡିସିପି ପୋଲିସ କମିଶନରଙ୍କ ଜରିଆରେ ଗୃହ ବିଭାଗକୁ ସମସ୍ତ ତଥ୍ୟ ପଠାଇ ପରବର୍ତ୍ତୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି । ଅଭିଯୋଗ ସମ୍ପର୍କରେ ସୁଶାନ୍ତ ନାଥଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନି ।
