Screenshot 2026 11 01

‘ମୁରାସୁ’ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି: ୧୫୦ ଭୂସ୍ଖଳନ ସ୍ପଟ୍ ଚିହ୍ନଟ, ସୁରକ୍ଷିତ ସ୍ଥାନକୁ ଯିବାକୁ ଗଞ୍ଜାମବାସୀଙ୍କୁ ପରାମର୍ଶ

Spread the love

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା। ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ‘ମୁରାସୁ’ ନାମକ ଏକ ବାତ୍ୟାରେ ପରିଣତ ହୋଇଛି।। ଆସନ୍ତାକାଲି ସୁଦ୍ଧା ଏହା ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ତେବେ ଏହାର ମୁକାବିଲା ନେଇ ଗତକାଲି ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ବୈଠକ କରି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ୍ । ଏସଆରସି ସ୍ପଷ୍ଟ କରିଛନ୍ତି ଯେ, ବାତ୍ୟା ‘ମୁରାସୁ’କୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଜିଠୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ସରିବ । ତେବେ ଗଜପତିରେ ୧୫୦ ଲାଣ୍ଡସ୍ଲାଇଡ ସ୍ପଟ ଚିହ୍ନଟ କରାଯାଇଛି।

ସୂଚନାଥାଉକି, ଆଜି ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଖୋରଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢ଼ିବ । ଏସଆରସି ସ୍ପଷ୍ଟ କରିଛନ୍ତି ଯେ, ବିଶେଷ କରି ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ସ୍ଥାନ ଗୁଡ଼ିକୁ ଚିହ୍ନଟ କରାଯାଇଛି । ପ୍ରାୟ ୧୫୦ରୁ ଅଧିକ ଲ୍ୟାଣ୍ଡସ୍ଲାଇଡ୍ ସ୍ପଟ୍ ଚିହ୍ନଟ କରାଯାଇଛି ।ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରଣ କାମ ଆରମ୍ଭ ହୋଇଯିବ। ଏହାଛଡ଼ା ବାତ୍ୟାକୁ ଦୃଷ୍ଟିରେ ରଖି ରିଲିଫ୍ ସାମଗ୍ରୀ ଅଧିକ ମାତ୍ରାରେ ମହଜୁଦ କରି ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଆଇଛି । ବାତ୍ୟା ମୁରାସୁ ଆସୁଥିବାରୁ କୌଣସି ସ୍ଥାନରେ ହୋର୍ଡିଂ ନଲଗାଇବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସଆରସି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ଜରୁରୀ ସତର୍କ ସୂଚନା ଜାରି କରିଛି ଜିଲ୍ଲା ପ୍ରଶାସନ । ନଭେମ୍ବର ୨, ୩ ଓ ୪ ତାରିଖରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ଏବଂ ଜଳବନ୍ଦୀ ପରିସ୍ଥିତି ଉପୁଜିପାରେ । ତେଣୁ ନଦୀକୂଳ, ତଳିଆ ଅଞ୍ଚଳ ଓ ବିପଦସଙ୍କୁଳ ସ୍ଥାନରେ ରହୁଥିବା ଲୋକମାନେ ସତର୍କ ରୁହନ୍ତୁ। ପ୍ରଶାସନର ନିର୍ଦ୍ଦେଶ ମାନି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ । ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ । ମତ୍ସ୍ୟଜୀବୀମାନେ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ସମୁଦ୍ରକୁ ଯାଆନ୍ତୁ ନାହିଁ। ପ୍ରବାହିତ ନଦୀ, ନାଳ କିମ୍ବା ଜଳମଗ୍ନ ରାସ୍ତା ପାର ହୁଅନ୍ତୁ ନାହିଁ। ବିଦ୍ୟୁତ୍ ଖୁଣ୍ଟ, ତାର ଓ ବଡ଼ ଗଛଠାରୁ ଦୂରେଇ ରୁହନ୍ତୁ ।

ଘରେ ଆବଶ୍ୟକ ପରିମାଣର ଶୁଖିଲା ଖାଦ୍ୟ, ପିଇବା ପାଣି, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖନ୍ତୁ । ପିଇବା ପାଣିକୁ ଫୁଟାଇ ବ୍ୟବହାର କରନ୍ତୁ। ଗୃହପାଳିତ ପଶୁଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । କେବଳ ପ୍ରଶାସନ ଓ ପାଣିପାଗ ବିଭାଗର ସରକାରୀ ସୂଚନାକୁ ଅନୁସରଣ କରନ୍ତୁ । ଆଇଏମ୍‌ଡି (IMD) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଏହି ବାତ୍ୟା ନଭେମ୍ବର ୩ ତାରିଖ ଭୋର ସମୟରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମୟରେ ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ, ଯାହାର ଗତିବେଗ ଝଟକା ସହ ଘଣ୍ଟା ପ୍ରତି ୧୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

 

Leave a Reply

Your email address will not be published. Required fields are marked *