ଅବଢା ଯୋଜନାରେ ଆଉ ୧୦୦.୮୩ କୋଟି ମଞ୍ଜୁର
ପୁରୀ: ଶ୍ରୀକ୍ଷେତ୍ର ପୁରୀର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଅବଢା ଯୋଜନା ଅଧୀନ ପ୍ରକଳ୍ପଗୁଡ଼ିକ ପାଇଁ ରାଜ୍ୟ ସରକାର ଆଉ ୧୦୦.୮୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅର୍ଥ ମଞ୍ଜୁର କରିବା ପରେ ପ୍ରକଳ୍ପଗୁଡ଼ିକର ମୋଟ ଅନୁମୋଦିତ ବ୍ୟୟ ୫୫୭.୧୯ କୋଟିରୁ ବୃଦ୍ଧି ପାଇ ୬୫୮.୦୩ କୋଟି ଟଙ୍କାରେ ପହଞ୍ଚିଛି।
ଅବଢା (Augmentation Basic Amenities and Development of Heritage and Architecture) ଯୋଜନାରେ ପୁରୀରେ ଜଗନ୍ନାଥବଲ୍ଲଭ ପିଲ୍ଗ୍ରିମ୍ ସେଣ୍ଟର (JBPC), ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ଏବଂ ମୁସା ନଦୀର ସମ୍ପ୍ରସାରଣ ସମେତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଚାଲିଛି। ପ୍ରାରମ୍ଭିକ ଭାବେ ଏସବୁ ପାଇଁ ୫୫୭.୧୯ କୋଟି ଟଙ୍କାର ବଜେଟ ଅନୁମୋଦିତ ହୋଇଥିଲା।
ତେବେ ପ୍ରକଳ୍ପର ପରିସର ବୃଦ୍ଧି ସହ ଅତିରିକ୍ତ ନିର୍ମାଣ କାର୍ଯ୍ୟକୁ ସାମିଲ କରାଯାଇଥିବାରୁ ଅଧିକ ଅର୍ଥର ଆବଶ୍ୟକତା ଦେଖାଦେଇଥିଲା। ବିଶେଷକରି ଜଗନ୍ନାଥବଲ୍ଲଭ ପିଲ୍ଗ୍ରିମ୍ ସେଣ୍ଟରର ପଞ୍ଚମ ମହଲାରେ ୨ ହଜାର ଆସନ ବିଶିଷ୍ଟ ଏକ ମଲ୍ଟି ପର୍ପୋଜ୍ ହଲ୍ ନିର୍ମାଣ ପାଇଁ ଯୋଜନା ହୋଇଛି। ଏହା ସହିତ ପ୍ରକଳ୍ପ ସମ୍ପର୍କିତ ଅନ୍ୟାନ୍ୟ ଆବଶ୍ୟକ କାମ ପାଇଁ ମଧ୍ୟ ଅତିରିକ୍ତ ବ୍ୟୟ ଆବଶ୍ୟକ ହୋଇଛି।
ଏହି ଆବଶ୍ୟକତାକୁ ବିଚାର କରି ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ମୋଟ ବ୍ୟୟ ବଢ଼ାଇବାକୁ ଅନୁମୋଦନ ଦେଇଛନ୍ତି। ଫଳରେ ପ୍ରକଳ୍ପ ପାଇଁ ଆଉ ୧୦୦.୮୩ କୋଟି ଟଙ୍କା ବିନିଯୋଗ ହେବ।ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ଯେତେ ଅର୍ଥ ଆବଶ୍ୟକ, ତାହା ଯୋଗାଇ ଦିଆଯିବ। ଏଥିପାଇଁ ଅର୍ଥର ଅଭାବ ହେବ ନାହିଁ। ଏହି ମଞ୍ଜୁରି ପରେ ପୁରୀରେ ଚାଲିଥିବା ବିଭିନ୍ନ ଭିତ୍ତିଭୂମି ଓ ଐତିହ୍ୟ ସଂରକ୍ଷଣ ସମ୍ପର୍କିତ କାର୍ଯ୍ୟ ଆହୁରି ଗତିଶୀଳ ହେବ ବୋଲି ଆଶା କରାଯାଉଛି।ନୂଆ ଅର୍ଥ ବ୍ୟବସ୍ଥା ସହ ଜଗନ୍ନାଥବଲ୍ଲଭ ପିଲ୍ଗ୍ରିମ୍ ସେଣ୍ଟରର ଅତିରିକ୍ତ ନିର୍ମାଣ କାମ, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ଏବଂ ମୁସା ନଦୀ ସମ୍ପ୍ରସାରଣ ଭଳି ପ୍ରକଳ୍ପଗୁଡ଼ିକ ଆହୁରି ସୁଦୃଢ଼ ହେବ। ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ବୃଦ୍ଧି ସହ ପୁରୀର ସାମଗ୍ରିକ ଭିତ୍ତିଭୂମି ବିକାଶରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱ ବହନ କରୁଛି।
