Untitled 1

ଜମିବାଡ଼ି ବିବାଦରୁ ସନ୍ଥଙ୍କ ଉପରେ ଅଟୋ ଚଢ଼ାଇ ହତ୍ୟା ଉଦ୍ୟମ: ବିଚ୍ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ପୋଲିସ ଭୂମିକା ଉପରେ ପ୍ରଶ୍ନବାଚୀ

Spread the love

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ମଣ୍ଡଳସିଂହ ଗ୍ରାମରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ବିଭିନ୍ନ ମଠ ଓ ଆଖଡ଼ାର ପ୍ରମୁଖ ସନ୍ଥ ମଦନ ମୋହନ ରଣଜିତ ସିଂହଦେଓଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଉପରେ ଅଟୋ ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଛି। ଦୁର୍ବୃତ୍ତମାନେ ତାଙ୍କୁ ବିଚ୍ ରାସ୍ତାରେ ଫିଙ୍ଗି ଚମ୍ପଟ ମାରିଥିବା ବେଳେ ଏବେ ସେ ଭୁବନେଶ୍ୱରସ୍ଥିତ ଏମ୍ସ (AIIMS)ରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଅନ୍ୟପକ୍ଷରେ, ଘଟଣାକୁ ଦିନ ବିତିଯାଇଥିଲେ ସୁଦ୍ଧା ସ୍ଥାନୀୟ ବୋଲଗଡ଼ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନ କରି ହାତବାନ୍ଧି ବସି ରହିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖ ରାତିରେ ସନ୍ଥ ମଦନ ମୋହନ ନିଜ ଶିଷ୍ୟ କୁଶ ବେହେରାଙ୍କ ସହ ଘର ଦୁଆରମୁହଁରେ ଥିବା ଗଛରୁ ଫୁଲ ତୋଳୁଥିଲେ। ସେହି ସମୟରେ ପୂର୍ବ ଶତ୍ରୁତା ତଥା ସନ୍ଥଙ୍କ ସମ୍ପତ୍ତି ହଡ଼ପ କରିବା ଉଦ୍ଦେଶ୍ୟରେ ଉକ୍ତ ଗ୍ରାମର ବିଭୁ ପ୍ରସାଦ ସାହୁ (ଓରଫ ଛାଟି), ତାଙ୍କ ପୁଅ ଏବଂ ଭାଇମାନେ ପୂର୍ବ ଯୋଜନା ମୁତାବକ ସେଠାରେ ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ନିର୍ଦ୍ଦୟ ଭାବେ ମାଡ଼ ମାରିବା ସହ ବାବାଙ୍କ ଉପରେ ଅଟୋ ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଏହି ଘଟଣାକୁ ନେଇ ସ୍ଥାନୀୟ କିଛି ଲୋକଙ୍କ ସହ ଅଭିଯୁକ୍ତଙ୍କ କଥାକଟାକଟି ଓ ଝଗଡ଼ା ହୋଇଥିଲା। ପରେ ଆକ୍ରମଣକାରୀମାନେ ସନ୍ଥଙ୍କୁ ରକ୍ତାକ୍ତ ଓ ଚେତାଶୂନ୍ୟ ଅବସ୍ଥାରେ ବିଚ୍ ରାସ୍ତାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ସେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଏ ସମ୍ପର୍କରେ ସନ୍ଥଙ୍କ ଶିଷ୍ୟ କୁଶ ବେହେରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଆଶ୍ଚର୍ଯ୍ୟର ବିଷୟ, ଘଟଣା ଘଟାଇବା ପରେ ଅଭିଯୁକ୍ତମାନେ ସ୍ଥାନୀୟ ସରପଞ୍ଚ ପ୍ରତିନିଧିଙ୍କ ଛତ୍ରଛାୟା ତଳେ ଗାଁରେ ଖୁଲମଖୁଲା ବୁଲୁଥିଲେ ସୁଦ୍ଧା ବୋଲଗଡ଼ ପୋଲିସ ସେମାନଙ୍କୁ ଗିରଫ କରୁନାହିଁ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *