ଗୁରୁଦ୍ୱାରରେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ବାଦଲଙ୍କୁ ଆକ୍ରମଣ
ମହାରାଷ୍ଟ୍ର : ମହାରାଷ୍ଟ୍ର ନାନ୍ଦେଡ଼ରେ ଶିରୋମଣି ଅକାଳୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ହୋଇଛି । ନାନ୍ଦେଡ଼ସ୍ଥିତ ଗୁରୁଦ୍ୱାର ମାତା ସାହିବ କୌରକୁ ଦର୍ଶନ କରିବାକୁ ଯାଇଥିବା ବେଳେ ନିହଙ୍ଗ ବେଶରେ ଆସିଥିବା ଜଣେ ବ୍ୟକ୍ତି କିରପାନରେ ଆକ୍ରମଣ କରିଛି । ଆକ୍ରମଣରେ ସୁଖବୀର ସିଂହ ବାଦଲଙ୍କ ବାମ ହାତରେ ଆଘାତ ଲାଗିଛି । ଘଟଣା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତାଙ୍କ ସୁରକ୍ଷାରେ ନିୟୋଜିତ ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, କୌଣସି ଏକ କଥାକୁ ନେଇ ବଚସା ହେବା ପରେ ଅଭିଯୁକ୍ତ କିରପାନରେ ବାଦଲଙ୍କ ଉପରେ ଆକ୍ରମଣ କରିଥିଲେ । ଘଟଣା ପରେ ସୁରକ୍ଷାକର୍ମୀମାନେ ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଆକ୍ରମଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଭିଯୁକ୍ତଙ୍କ ନାମ ଜସପାଲ ସିଂହ ବୋଲି ଜଣାପଡ଼ିଛି ।
ଘଟଣା ପରେ ପୋଲିସ ଅଭିଯୁକ୍ତ ଜସପାଲ ସିଂହଙ୍କୁ ହେପାଜତକୁ ନେଇଛି । ପଚରାଉଚରା ବେଳେ ଅଭିଯୁକ୍ତ ନିଜ ବୟାନରେ କହିଛନ୍ତି ଯେ, କୌଣସି ଏକ କାରଣରୁ ଯୋଗୁଁ ଆକ୍ରମଣ କରିଥିଲେ । କିନ୍ତୁ ପୋଲିସ ତାଙ୍କ ଏହି ବୟାନରେ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି । ଆକ୍ରମଣ ପଛରେ ଅନ୍ୟ କୌଣସି କାରଣ ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଏନେଇ ଅଭିଯୁକ୍ତଙ୍କୁ ଲଗାତାର ପଚରାଉଚରା କରାଯାଉଛି ।
ସୂଚନାଯୋଗ୍ୟ, ପୂର୍ବରୁ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା । ଡିସେମ୍ବର ୨୦୨୪ରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ବାହାରେ ସେ ସେବା କରୁଥିବା ସମୟରେ ତାଙ୍କ ଉପରକୁ ଗୁଳି ଚଳାଇବାକୁ ଚେଷ୍ଟା କରାଯାଇଥିଲା ।
