ଖୋଲିଲା କାଳ ଡ୍ୟାମ୍ର ୨ ଗେଟ୍, ବିପଦ ସଙ୍କେତ ଉପରେ ଜଳକା
ଜଳେଶ୍ୱର : ଉଦଳାରେ ଖୋଲିଲା ଦୁଇ ଗେଟ, ବଢିଲା ବିପଦ । ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ଏବେ ତଳିଆ ଅଞ୍ଚଳ ପାଇଁ ବଢିଲା ବିପଦ । ଖୋଲିଲା କାଳ ଡ୍ୟାମର ଦୁଇଟି ଗେଟ । କାଳ ଡ୍ୟାମର ଜଳ ଧାରଣ କ୍ଷମତା ୭୭.୭ ମିଟର ଥିବା ବେଳେ ଲଗାଣ ବର୍ଷା କାରଣରୁ ଡ୍ୟାମର ଜଳସ୍ତର ବିପଦ ସଂକେତ ଛୁଇଁଲା । ଉଭୟ ଗେଟ ଦେଢ଼ ମିଟର ଲେଖାଏଁ ଖୋଲା ଯାଇଥିବା ବେଳେ ଏବେ ଡ୍ୟାମ ଭିତରକୁ ୨୧୫ କ୍ୟୁମେକ୍ସ ଜଳ ପ୍ରତି ସେକେଣ୍ଡ ରେ ପଶୁଥିବା ବେଳେ ୧୫୬ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି । ଡ୍ୟାମରୁ ବାହାରୁଥିବା ପାଣି ଫଳରେ ଅନେକ ନଦୀର ଜଳସ୍ତର ବଢିବା ଆରମ୍ଭ କରିଛି । ଯାହାକି ତଳିଆ ଅଞ୍ଚଳ ପାଇଁ ବିପଦ ବଢିଛି। ତେବେ ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ଆଗାମୀ ସମୟରେ ଅଧିକ ଗେଟ ଖୋଲିବା ସମ୍ଭାବନା ରହିଛି । ଯାହା ପାଇଁ ତଳିଆ ଅଞ୍ଚଳ ବିଶେଷ ପ୍ରଭାବିତ ହେବା ସହିତ ସ୍ଥିତି ସଂଗୀନ ହୋଇବାର ଆଶଙ୍କା ଦେଖା ଦେଇଛି।
ସେପଟେ ବଢୁଛି ଜଳକା ନଦୀର ଜଳସ୍ତର । ବିପଦ ସଙ୍କେତ ପାର କଲା ଜଳକା । ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ରହିଛି ୬.୫୦ ମିଟର । ଦିନ ୧୧ଟା ସୁଦ୍ଧା ୬.୬୦ ମିଟରରେ ନଦୀଜଳ ପ୍ରବାହିତ ହେଉଛି। ପୂର୍ବ ବନ୍ୟା ଯୋଗୁ ଏବେ ବି ଚାଷ ଜମିରେ ପାଣି ଭର୍ତ୍ତି ହୋଇଛି । ଏବେ ଜଳକା ନଦୀର ଜଳସ୍ତର ବଢୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଚାଷୀ । ସେପଟେ ଜଳକା ନଦୀ ବନ୍ଯା ପାଣି ସ୍ରୋତରେ ଦରଡା ନିକଟରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି । ଡ୍ରେନେଜ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଜାରି ରହିଛି ।
