C76qgn3a3vdo3hmlpedfvwehcu 1068x712

ରୁଷ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ : ୧୨ ମୃତ, ୩୯ ଆହତ

Spread the love

ମସ୍କୋ:ପୁଣିଥରେ ରୁଷ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ତୀବ୍ର ହୋଇଛି। ରୁଷର ତାତାରସ୍ତାନ ଅଞ୍ଚଳର ନିଜ୍ନେକାମସ୍କ ସହରରେ ଶିଳ୍ପ ଓ ନାଗରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ୟୁକ୍ରେନ୍ ପକ୍ଷରୁ ବ୍ୟାପକ ଡ୍ରୋନ୍ ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣରେ ଅତି କମ୍‌ରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୯ ଜଣ ଆହତ ହୋଇଛନ୍ତି। ସୋମବାର ନିଜ୍ନେକାମସ୍କର ମେୟର ରାଦମିର ବେଲିୟାଏଭ ଏହି ସୂଚନା ଦେଇଛନ୍ତି।

ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆକ୍ରମଣରେ ତାତାରସ୍ତାନର ଏକ ପ୍ରମୁଖ ତୈଳ ବିଶୋଧନାଗାରକୁ ମଧ୍ୟ ଟାର୍ଗେଟ୍ କରାଯାଇଛି। ଏହା ରୁଷର ଅତ୍ୟାଧୁନିକ ତୈଳ ବିଶୋଧନାଗାରଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆକ୍ରମଣ ପରେ ସେଠାରେ ଧୂଆଁ ଉଠୁଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା କିଛି ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ ଲୋକମାନେ ଆତଙ୍କିତ ହୋଇ ଏଣେତେଣେ ଦୌଡ଼ୁଥିବାର ଦୃଶ୍ୟ ମଧ୍ୟ ରହିଛି।ଏହା ପୂର୍ବରୁ ଜୁନ୍ ମାସରେ ୟୁକ୍ରେନ୍ ପକ୍ଷରୁ ଟାଟନେଫ୍‌ର ଟାନେକୋ ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯାଇଥିଲା। ୨୦୨୪ରେ ଏହି ବିଶୋଧନାଗାର ପ୍ରାୟ ୧ କୋଟି ୭୦ ଲକ୍ଷ ଟନ୍ ଅଶୋଧିତ ତୈଳ ପ୍ରକ୍ରିୟାକରଣ କରିଥିଲା। ସେଥିରୁ ପ୍ରାୟ ୨୭ ଲକ୍ଷ ଟନ୍ ପେଟ୍ରୋଲ୍ ଓ ୮୫ ଲକ୍ଷ ଟନ୍ ଡିଜେଲ୍ ଉତ୍ପାଦନ ହୋଇଥିଲା।ଏବେ ପୁଣି ଏକ ପ୍ରମୁଖ ରିଫାଇନାରୀକୁ ଟାର୍ଗେଟ୍ କରାଯାଇଥିବାରୁ ତାତାରସ୍ତାନ ଅଞ୍ଚଳରେ ଚିନ୍ତା ବଢ଼ିଛି। ଆକ୍ରମଣ ପରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।ତେବେ ରିଫାଇନାରୀ ଉପରେ ସୋମବାର ହୋଇଥିବା ଡ୍ରୋନ୍ ଆକ୍ରମଣରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ।

ଗତ କିଛି ମାସ ଧରି ୟୁକ୍ରେନ୍ ରୁଷର ବିଭିନ୍ନ ତୈଳ ବିଶୋଧନାଗାର ଓ ଇନ୍ଧନ ଭିତ୍ତିଭୂମିକୁ ଟାର୍ଗେଟ୍ କରି ଆକ୍ରମଣ ବଢ଼ାଇଛି। ଏହି ଆକ୍ରମଣ ଯୋଗୁ ରୁଷର କିଛି ଅଞ୍ଚଳରେ ଇନ୍ଧନ ଯୋଗାଣ ପ୍ରଭାବିତ ହୋଇ ଅଭାବ ଦେଖାଦେଇଥିବା ରିପୋର୍ଟ ଆସିଥିଲା। ତେବେ ବର୍ତ୍ତମାନ ଇନ୍ଧନ ଯୋଗାଣ ପରିସ୍ଥିତି ସ୍ୱାଭାବିକ ହୋଇଥିବା ରୁଷ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *