ମହାନଦୀରେ ବଢିବାରେ ଲାଗିଛି ଜଳସ୍ତର, ମୁଣ୍ଡୁଳିରେ ୮ ଲକ୍ଷରୁ ଅଧିକ କ୍ୟୁସେକ୍ ପାଣି ପ୍ରବାହିତ
କଟକ : ମହାନଦୀରେ ବଢିବାରେ ଲାଗିଛି ଜଳସ୍ତର । ୧୧ଟା ସୁଦ୍ଧା କଟକ ମୁଣ୍ଡଳୀ ବ୍ରିଜ ଦେଇ ପ୍ରତି ସେକେଣ୍ଡ ପିଛା ୮ଲକ୍ଷ ୨୦ ହଜାର ୮୪୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ୧୦ଟି ଯାକ ଗେଟ ଦେଇ ପ୍ରବାହିତ ହେଉଛି ଜଳ। ମୁଣ୍ଡଳୀଠାରେ ବିପଦ ସଙ୍କେତ ୯୫. ୦୫ ଫୁଟ ରହିଥିବାବେଳେ, ବିପଦ ସଙ୍କେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି । ମହାନଦୀ ଓ ଏହାର ଶାଖାନଦୀ ଗୁଡ଼ିକରେ ବନ୍ୟା ଆଶଙ୍କା ରହିଛି। ନଦୀକୂଳିଆ ଅଞ୍ଚଳର ଜନସାଧାରଣଙ୍କ ମନରେ ଛନକା ଦେଖାଦେଇଛି। ଜିଲ୍ଲା ପ୍ରଶାସନର କଟକଣା ପାଇଁ କେହି ମଧ୍ୟ ନଦୀ ଭିତରକୁ ଯାଇ ନାହାନ୍ତି । ଡଙ୍ଗା ସବୁ ବନ୍ଧା ହୋଇଛି । ଯେତେ ଦିନ ପର୍ଯ୍ୟନ୍ତ ପାଣି କମିବ ନାହିଁ ସେତେଦିନ ପର୍ଯ୍ୟନ୍ତ ମାଛ ଧରା ହେବ ନାହିଁ ବୋଲି ମତ୍ସ୍ୟଜୀବୀ କହିଛନ୍ତି ।
ସେପଟେ ମହାନଦୀ ଜଳସ୍ତର ବୃଦ୍ଧି ଯୋଗୁ ଶାଖା ନଦୀ ରଣ , ଚନ୍ଦ୍ରପା ଓ ହୁଳୁ ହୁଳା ନଦୀରେ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ବିଲିପଡା ତାଳବସ୍ତା ରାସ୍ତାରେ ୫ ଫୁଟର ପାଣି ପ୍ରବାହିତ ହେଉଛି । ବାଙ୍କୀ ଠାରେ ୮ ଲକ୍ଷ ୭୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । କଇଁଆ ନାଳ ଉପରେ ପାଣି ଚାଲୁଛି । ଧୀରେ ଧୀରେ ପାଣି ପ୍ରବାହିତ ହେଉଥିବାରୁ ବିଲିପଡା ଗାଁ ଭିତରକୁ ପ୍ରବେଶ କରୁଛି । ଶହ ଶହ ହେକ୍ଟର ଧାନ ଫସଲ ଓ ପରିବା ଫସଲ ଜମିରେ ୪ ଫୁଟର ପାଣି ଜମିଛି । ଅନେକ ଅଞ୍ଚଳ ଜଳମଗ୍ନ । ଅନ୍ୟପଟେ ସୋମପଡ଼ାରୁ ଖଣ୍ଡହତାକୁ ସଂଯୋଗ୍ କରୁଥିବା ମା ବଡ଼ ବନ୍ଧିଆଣୀ ରାସ୍ତା ଉପରେ ତିନି ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଯାହକି ଖାଣ୍ଡହତା ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ତିଗିରିଆ ଓ ବାଙ୍କୀ ପ୍ରସାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।.
