ସହରାଞ୍ଚଳରେ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ନଗର ଉନ୍ନୟନ ବିଭାଗ : ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ, ବିଶେଷକରି ଉତ୍ତର ଓଡ଼ିଶା ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳ ବନ୍ଦି ସ୍ଥିତିର ମୁକାବିଲା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ଓ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସହରାଞ୍ଚଳରେ ଲୋକଙ୍କ ସୁରକ୍ଷା, ଜଳ ନିଷ୍କାସନ ଏବଂ ଆବଶ୍ୟକ ରିଲିଫ୍ ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।
ଡଃ ମହାପାତ୍ର କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ କେତେକ ସହରାଞ୍ଚଳରେ ସ୍ୱାଭାବିକ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଅତିରିକ୍ତ ଚାପ ସୃଷ୍ଟି ହେବାରୁ ଜଳବନ୍ଦୀ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନର ପରିସ୍ଥିତିକୁ ଗୁରୁତ୍ୱର ସହ ବିଚାର କରି ନଗର ଉନ୍ନୟନ ବିଭାଗ ଅଧୀନ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ଅଧିକାରୀ ୨୪ ଘଣ୍ଟିଆ ଆଲର୍ଟରେ ରହିବା ସହ ନିଜ ନିଜ ଅଞ୍ଚଳର ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ବିଭାଗୀୟ କଣ୍ଟ୍ରୋଲ୍ ରୁମ୍ ଜରିଆରେ ବିଭିନ୍ନ ସହରାଞ୍ଚଳର ସ୍ଥିତିକୁ ନିୟମିତ ମନିଟରିଂ କରାଯାଉଛି ଏବଂ ଆବଶ୍ୟକତା ଅନୁଯାୟୀ ତୁରନ୍ତ ସହାୟତା ପଠାଯାଉଛି ।
ଜଳମଗ୍ନ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ପମ୍ପସେଟ୍ ନିୟୋଜନ କରି ଯୁଦ୍ଧକାଳୀନ ଭିତ୍ତିରେ ଜଳ ନିଷ୍କାସନ କରାଯାଉଛି । ସହରାଞ୍ଚଳର ମୁଖ୍ୟ ରାସ୍ତା, ଆବାସିକ ଅଞ୍ଚଳ ଏବଂ ଅନ୍ୟାନ୍ୟ ଜଳମଗ୍ନ ସ୍ଥାନରୁ ଯଥାଶୀଘ୍ର ପାଣି ହଟାଇବା ପାଇଁ ୟୁଏଲବି ଗୁଡ଼ିକରେ ଆବଶ୍ୟକ ଯନ୍ତ୍ରପାତି ଓ ମାନବ ସମ୍ବଳ ନିୟୋଜନ କରିବାକୁ କୁହାଯାଇଛି ।
ଏଥିସହ ଡ୍ରେନ୍, କଲଭର୍ଟ ଓ ଜଳ ନିଷ୍କାସନ ପଥରେ ଯେଉଁଠାରେ ବାଧା ସୃଷ୍ଟି ହୋଇଛି, ସେଗୁଡ଼ିକୁ ତୁରନ୍ତ ସଫା କରିବା ଏବଂ ଜଳ ପ୍ରବାହକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।
ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଶୁଦ୍ଧ ପାନୀୟ ଜଳ, ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଣ ସହ ଆଲୋକ ବ୍ୟବସ୍ଥା କରାଯାଉଛି । ଜନସାଧାରଣଙ୍କୁ ଆବଶ୍ୟକ ସମୟରେ ତୁରନ୍ତ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ୟୁଏଲବି ଗୁଡ଼ିକୁ ସଜାଗ ରଖାଯାଇଛି ।
