ଗ୍ରୀଷ୍ମ ଋତୁରେ ପିକ୍ ଆୱାର୍ ସମୟରେ ଜଳବିଦ୍ୟୁତ୍ ଉତ୍ପାଦନ ସର୍ବାଧିକ କରିବାକୁ ଗୁରୁତ୍ବ
ଭୁବନେଶ୍ବର: ଆଗାମୀ ଗ୍ରୀଷ୍ମ ମାସଗୁଡ଼ିକରେ ପିକ୍ ଆଓ୍ବାର ସମୟରେ ରାଜ୍ୟର ହାଇଡ୍ରୋ ପାଓ୍ବାର ଜେନେରେସନ୍ ସର୍ବାଧିକ କରିବା ପାଇଁ ଓଡ଼ିଶା ଜଳବିଦ୍ୟୁତ୍ ନିଗମ୍ (ଓଏଚ୍ପିସି) ସହିତ ଆଲୋଚନା କରାଯାଇଛି ବୋଲି ଶୁକ୍ରବାର ହୋଇଥିବା ଶକ୍ତି ବିଭାଗର ସମୀକ୍ଷା ବୈଠକରୁ ଜଣାଯାଇଛି।
ବୈଠକରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିଥିଲେ। ଗ୍ରୀଷ୍ମ ଋତୁରେ ବିଦ୍ୟୁତ ସେବା ଯେପରି ସ୍ବାଭାବିକ ରହେ ଓ ଏଥିରେ କୌଣସି ପ୍ରକାରର ବ୍ୟାଘାତ ସୃଷ୍ଟି ନହୁଏ, ତାହା ସୁନିଶ୍ଚିତ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗ୍ରୀଷ୍ମ ଋତୁରେ ପିକ୍ ଡିମାଣ୍ଡକୁ ଆଖିରେ ରଖି ଚାହିଦା ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି। ଏପ୍ରିଲ ମାସ ପାଇଁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଚାହିଦା ୬୦୮୭ ମେଗାୱାଟ ରହିଛି, ଯାହାକୁ ଅତି ସଫଳତାର ସହ ପୂରଣ କରାଯାଉଛି। ମେ ମାସରେ ସର୍ବାଧିକ ଚାହିଦା ୬୨୦୦ ମେଗାୱାଟ ଏବଂ ଜୁନ୍ ମାସରେ ୬୧୦୦ ମେଗାୱାଟ ହେବା ନେଇ ଆଶା କରାଯାଉଛି। ଗତ ବର୍ଷ ତୁଳନାରେ ଚଳିତ ଏପ୍ରିଲରେ ବିଦ୍ୟୁତ ଚାହିଦାରେ ୨ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।
ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ସହ ବିଭାଗ ପକ୍ଷରୁ ସମନ୍ଵୟ ରକ୍ଷା କରାଯାଇଛି। ଏହାସହ ପାଓ୍ବାର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା କରାଯାଇଛି। ୫୦ରୁ ୧୦୦ ମେଗାୱାଟ ବିଦ୍ୟୁତ କ୍ରୟ ପାଇଁ ଆର୍ଏସ୍ପି ସହିତ ଆଲୋଚନା ଜାରି ରହିଛି। ଏହାସହ ରାଜ୍ୟର ଚାହିଦା ପୂରଣ କରିବା ପାଇଁ ଆବଶ୍ୟକତା ଅନୁଯାୟୀ ପାୱାର ଏକ୍ସଚେଞ୍ଜରୁ ବିଦ୍ୟୁତ କ୍ରୟ ବ୍ୟବସ୍ଥା କରାଯାଇଛି।
