21613585 fc6c 4b55 85c6 933903e40701 768x432

ମଣ୍ଡିରେ ଧାନରୁ ହେଲାଣି ଗଛ; ଆସୁନାହାନ୍ତି ମିଲର

Spread the love

ବାସୁଦେବପୁର : ଚାଷ ଓ ଚାଷୀଙ୍କ ପାଇଁ ସରକାରୀ ଘୋଷଣା ଏବେ ସାତସପନ ପାଲଟିଛି। ମିଲରଙ୍କ ମନମାନୀ ଓ ଅଘୋଷିତ କଟନିଛଟନି ପାଇଁ ନାକେଦମ ହେଲେଣି ଚାଷୀ। କେତେକ ଚାଷୀଙ୍କ ଧାନ ଏଯାବତ ମଣ୍ଡିରେ ପଡି ରହିଛି। କାଳବୈଶାଖୀ ପ୍ରଭାବରୁ ହୋଇଥିବା ବର୍ଷାରେ ମଣ୍ଡିରେ ପଡ଼ି ରହିଥିବା ଧାନବସ୍ତାରେ ଗଛ ହେଲାଣି।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସଂଖାରୋ ସମବାୟ ସମିତିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏହାରି ଭିତରେ ଆସନ୍ତା ୧୫ ତାରିଖ ସୁଦ୍ଧା ଅନଲାଇନ ବନ୍ଦ ହେବା ଖବର ଏବେ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଧାନ ବିକିବା ପାଇଁ ମଣ୍ଡିକୁ ଆଣିବା ପରେ ଧାନବିକ୍ରୀ ଟଙ୍କାକୁ ଚାହିଁ ରହିଛନ୍ତି ଚାଷୀ। କିନ୍ତୁ ମିଲର ନଆସିବା ଓ ଧାନବସ୍ତାରେ ଗଜା ହେବା ଏବେ ଚିନ୍ତାର ବିଷୟ ପାଲଟିଛି। ଏନେଇ କେତେକ ଚାଷୀ ମିଳିତ ଭାବରେ ସମବାୟ ସମିତିରେ ପହଞ୍ଚି ପ୍ରତିବାଦ କରିବାକୁ ଆସିଥିଲେ ହେଁ ରବିବାର ଛୁଟିଦିନ ଥିବାରୁ ନିରାଶ ହୋଇ ଫେରିଛନ୍ତି।

ଏନେଇ ଏସିଏସଓ ବାବାଜୀ ମଲ୍ଲିକ କହିଛନ୍ତି ଯେ, ଏହି ସମବାୟ ସମିତିରୁ ୧୦,୦୭୩ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଥିଲା। ସେଥିମଧ୍ୟରୁ ୧୦,୦୭୧ କ୍ୱିଣ୍ଟାଲ ଧାନ ଚାଷୀଙ୍କ ଠାରୁ କିଣାଯାଇଛି। ଏଥିମଧ୍ୟରୁ ୭,୮୯୪ କ୍ୱିଣ୍ଟାଲ ଧାନ ମିଲରଙ୍କୁ ହସ୍ତାନ୍ତର କରାଯାଇଛି। ବଳକା ୨,୧୭୭ କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି। ଏହି ଧାନ ଟଙ୍କା ଚାଷୀଙ୍କୁ ମିଳିପାରିବକି ନାହିଁ ସମବାୟ ସମିତିର ସଂପାଦକ ସମେତ ମ୍ୟାନଜମେଣ୍ଟ କମିଟି ବୁଝିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *