ମର୍ଣ୍ଣିଂ ଗ୍ଲୋରି ପବ୍ଲିକ୍ ସ୍କୁଲର ୧୮ତମ ବାର୍ଷିକ ଉତ୍ସବ ‘ଗ୍ଲୋରିଆଲ୍-୨୦୨୫-୨୬’ ଅନୁଷ୍ଠିତ
ଚନ୍ଦକା : ଭୁବନେଶ୍ୱର ସୁନ୍ଦରପୁର ସ୍ଥିତ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ମର୍ଣ୍ଣିଂ ଗ୍ଲୋରି ପବ୍ଲିକ୍ ସ୍କୁଲ’ ପରିସରରେ ବିଦ୍ୟାଳୟର ୧୮ତମ ବାର୍ଷିକ ଉତ୍ସବ “ଗ୍ଲୋରିଆଲ୍-୨୦୨୫-୨୬” ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି । ଶିକ୍ଷା, ସଂସ୍କୃତି ଓ ସଫଳତାର ଏହି ମହାମିଳନରେ ବହୁ ବିଶିଷ୍ଟ ଅତିଥି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଆୟକର କମିଶନର (IRS) ଅରୂପ ଚାଟାର୍ଜୀ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ରାମ ମନ୍ଦିର (ଫତେଗଡ଼)ର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ବେଣୁଧର ପ୍ରଧାନ ଏବଂ ସିଜୁଆ ମା’ ଭୁଆଶୁଣୀ କମିଟିର ସଭାପତି ଚନ୍ଦ୍ରଶେଖର ଗୁମାନସିଂହ ଉପସ୍ଥିତ ରହି ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ମନୋରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ବିଦ୍ୟାଳୟର ସଂପାଦିକା ଦିପ୍ତିମୟୀ କର ଅତିଥିମାନଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ |

ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଦୁଇଜଣ ମହିଳା ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଥାନା ଅଧିକାରୀ ସମିତା ମିଶ୍ର ଏବଂ ବିଶିଷ୍ଟ କବୟିତ୍ରୀ ସ୍ନେହପ୍ରଭା ପ୍ରଧାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସଭାରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ପାଠପଢ଼ା କେବଳ ପରୀକ୍ଷା ପାଇଁ ନୁହେଁ ବରଂ ଜୀବନ ଗଠନ ପାଇଁ ଉଦ୍ଦିଷ୍ଟ। ସେମାନେ ନିୟମିତ ଅଧ୍ୟୟନ, ଶୃଙ୍ଖଳା ଏବଂ ନୈତିକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ସାମ୍ପ୍ରତିକ ସମୟରେ କଠିନ ପରିଶ୍ରମ ଓ ଏକାଗ୍ରତା ହିଁ ସଫଳତାର ଚାବିକାଠି ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହା ପୂର୍ବରୁ ବାର୍ଷିକ ବିବରଣୀ ପଠନ ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ପ୍ରଶାସନିକ ଅଧିକାରୀ ଅଂଶୁମାନ ପ୍ରିୟଦର୍ଶନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜ୍ୟୋତ୍ସ୍ନା ମହାପାତ୍ର, ତମସ୍ବିନୀ ମହାପାତ୍ର, ସୁଜାତା ବେହେରା, ରମା ମହାନ୍ତି, ଅଜିତ କୁମାର ଜେନା, ସୁଶାନ୍ତ ସାହୁ, ସମ୍ବିତ ସାହୁ, ବିକାଶ ସାର, ମିତାଲି ମଧୁମିତା ମହାନ୍ତି, ଗାୟତ୍ରୀ ଦାସ, ଅମ୍ବିକା ବେହେରା, ମମତାମୟୀ ରାଉତ, ମନ୍ଦାକିନୀ ସାମନ୍ତରାୟ, ଜ୍ୟୋତିର୍ମୟୀ ବିଶ୍ୱାଳ, ତନୁସ୍ମିତା ମାମ୍ ଓ ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ସୂଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ଉତ୍ସବର ସାଙ୍ଗ ହୋଇଥିଲା।
