05bbs 90 05042026 112 2026 04 05 20 58 19

ତାମିଲନାଡ଼ୁ ବିଧାନସଭା ନିର୍ବାଚନ: ଭାଷାକୁ ନେଇ ରାଜନୀତି ତୀବ୍ର

Spread the love

ଚେନ୍ନାଇ: ତାମିଲନାଡ଼ୁରେ ଆସନ୍ତା ଏପ୍ରିଲ ୨୩ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଷାକୁ ନେଇ ରାଜନୀତି ତୀବ୍ର ହୋଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରି-ଭାଷା ସୂତ୍ର ଓ ଜାତୀୟ ଶିକ୍ଷା ନୀତିକୁ ନେଇ ଗତକାଲି ମୁହାଁମୁହିଁ ହୋଇଥିଲେ। ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ସାଂସଦ ଶଶିକାନ୍ତ ସେନ୍ଥିଲ ଜାତୀୟ ଶିକ୍ଷା ନୀତି ୨୦୨୦ ଓ ତ୍ରି-ଭାଷା ଫର୍ମୁଲା କାର୍ଯ୍ୟକାରୀ କରିବାକୁ ତୀବ୍ର ସମାଲୋଚନା କରିଛନ୍ତି।
ସେନ୍ଥିଲ କହିଛନ୍ତି, ତ୍ରି-ଭାଷା ଫର୍ମୁଲା ଏପରି ଏକ ମାର୍ଗ, ଯେଉଁଠି ‘ପସନ୍ଦ’ ଆଶାରେ ଏବଂ ଆଶା ବାଧ୍ୟତାମୂଳକରେ ପରିଣତ ହେବ। ‘ଏକ୍ସ’ରେ ଏକ ପୋଷ୍ଟ କରି ସେନ୍ଥିଲ ପ୍ରଶ୍ନ କରିଛନ୍ତି ଯେ, କୌଣସି ବିଜେପି ଶାସିତ ରାଜ୍ୟରେ ଦକ୍ଷିଣ ଭାରତୀୟ ଭାଷାକୁ ଲାଗୁ କରାଯାଇଛି କି? କେତେ ଛାତ୍ରଛାତ୍ରୀ ସ୍ବେଚ୍ଛାକୃତ ଭାବେ ତୃତୀୟ ଭାଷାକୁ ଗ୍ରହଣ କରିଛନ୍ତି। ଏହି ମଡେଲ କାର୍ଯ୍ୟକାରୀ କରିବାକୁ ପ୍ରଶିକ୍ଷତ ଶିକ୍ଷକଙ୍କ ଉପରେ ତଥ୍ୟ ପ୍ରଦାନ କରିବାକୁ ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏହା ବହୁଭାଷାବାଦ ନୁହେଁ, ବରଂ ଜିଦ୍‌ଖୋର ନୀତି। ଆପଣ ବିବିଧତାର ଉପଦେଶ ଦେଇ ସମାନତାର ଅଭ୍ୟାସ କରିପାରିବେ ନାହିଁ। ଯେତେବେ‌ଳେ କୌଣସି ବିକଳ୍ପ ନାହିଁ ଆପଣ ଏହାକୁ ବିକଳ୍ପ ବ୍ୟବସ୍ଥା ମଧ୍ୟ କହିପାରିବେ ନାହିଁ।
ଅନ୍ୟପକ୍ଷରେ ଏକ ଗଣମାଧ୍ୟମ ସାକ୍ଷାତକାରରେ ତାମିଲନାଡ଼ୁର ଆଇଟି ଓ ଡିଜିଟାଲ ସର୍ଭିସ ମନ୍ତ୍ରୀ ପାଲନିଭେଲ୍‌ ଥିଆଗା ରାଜନ ପ୍ରଶ୍ନ କରିଛନ୍ତି ଯେ, ଉତ୍ତର ପ୍ରଦେଶ ଓ ବିହାରରେ ପ୍ରକୃତରେ କେତେ ଛାତ୍ରଛାତ୍ରୀ ଦୁଇ କିମ୍ବା ତିନିଟି ଭାଷା ଦକ୍ଷତାର ସହିତ ଶିଖୁଛନ୍ତି। ସେ ଆହୁରି କହିଛନ୍ତି, ଯାହାକୁ ହିନ୍ଦୀ କହିବାର ଅଛି ସେ କହିବାକୁ ମୁକ୍ତ, କିନ୍ତୁ ଏହାକୁ ତାମିଲନାଡ଼ୁର ସ୍କୁଲ ପାଠ୍ୟକ୍ରମରେ ଜୋରଜବରଦସ୍ତ ଲାଗୁ କରିବାକୁ ସେ ବିରୋଧ କରନ୍ତି।

Leave a Reply

Your email address will not be published. Required fields are marked *