10 farmer protest

କମ କ୍ଷତିପୂରଣ ମିଳିବାରୁ ତହସିଲ ଅଫିସ ଆଗରେ ଟଙ୍କା ଫିଙ୍ଗିଲେ ଚାଷୀ

Spread the love

ମୁମ୍ବଇ: ମହାରାଷ୍ଟ୍ରରେ ଅଗଷ୍ଟ- ସେପ୍ଟେମ୍ବର ମାସରେ ହୋଇଥିବା ବର୍ଷା ଓ ବନ୍ୟା ଯୋଗୁଁ ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡିଛି। ଏହାକୁ ନଜରରେ ରଖି ସରକାର ସମୁଦାୟ ୩୧,୬୨୮ କୋଟି ଟଙ୍କାର ସାହାଯ୍ୟ ଘୋଷଣା କରିଥିଲେ; କିନ୍ତୁ ହିଙ୍ଗୋଲି ଗୋରେଗାଓଁର ଚାଷୀଙ୍କୁ ଏହି କ୍ଷତିପୂରଣ ରାଶି ପସନ୍ଦ ଆସିଲାନି। ଚାଷୀ ଓ କ୍ରାନ୍ତିକାରୀ କିଷାନ ସଙ୍ଗଠନର କର୍ମୀମାନେ କ୍ଷତିପୂରଣ ରାଶିକୁ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଫିଙ୍ଗି ବିରୋଧ ପ୍ରଦର୍ଶନ କରିଛନ୍ତି। ସରକାରଙ୍କ ତରଫରୁ ମିଳିଥିବା କ୍ଷତିପୂରଣ ରାଶି ବହୁତ କମ୍ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଶୁଷ୍କ ଭୂମି ଚାଷ ପାଇଁ ପ୍ରତି ହେକ୍ଟର ୧୮,୫୦୦ ଟଙ୍କା, ଯେଉଁ ଚାଷୀ ଫସଲ ବୀମା କରାଇଥିଲେ ସେମାନଙ୍କୁ ହାରାହାରି ୧୭ ହଜାର ଟଙ୍କା ଦେବା ପାଇଁ ନିର୍ଦେଶ ଦେଇଥିଲେ। ଚାଷୀମାନେ ହେକ୍ଟର ପିଛା ୫୦ ହଜାର ଟଙ୍କା ଦାବି କରିଛନ୍ତି। ମାତ୍ର ୧୮,୫୦୦ ଟଙ୍କା ମିଳିବା ପରେ ସେମାନେ ଏହା ବିରୁଦ୍ଧରେ ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି।

କ୍ରାନ୍ତିକାରୀ ଚାଷୀ ସଙ୍ଗଠନର ଜିଲାଧ୍ୟକ୍ଷ ନାମଦେବ ପତଙ୍ଗେ କହିଛନ୍ତି କି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ କହିଥିଲେ କି ବନ୍ୟା ପ୍ରଭାବିତ ସମସ୍ତ ଅଞ୍ଚଳରେ ଚାଷୀଙ୍କୁ ସାହାଯ୍ୟ ଦିଆଯିବ; କିନ୍ତୁ ତାଙ୍କ ତହସିଲରେ ଏ ପର୍ଯ୍ୟନ୍ତ ଜରୁରୀକାଳୀନ ଘୋଷଣା ହୋଇନି। ଚାଷୀ ନେତା ଗଜାନନ କହିଛନ୍ତି କି ବର୍ଷା ଯୋଗୁଁ ସୋୟାବିନ୍, କପା ଓ ଅନ୍ୟ ଫସଲ କ୍ଷତିଗ୍ରସ୍ତ ହୋଇଛି। ସରକାର ନିଜ ପ୍ରତିଶ୍ରୁତି ପୂରଣ କରୁନାହାନ୍ତି। ସହାୟତା ବଦଳରେ ସରକାର ଆମ କଟା ଘା’ରେ ଲୁଣ ଦେଉଛନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *