ଆରାକାନ ସେନାର ନିର୍ଯାତନା: ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ରୋହିଙ୍ଗ୍ୟା

Spread the love

ନାପିଦ୍ବ: ମିଆଁମାରରେ ବିଦ୍ରୋହୀ ଗୋଷ୍ଠୀ ଆରାକାନ୍ ଆର୍ମି (ଏଏ)ର ପ୍ରଭାବ ବୃଦ୍ଧି ପାଇଛି। ମିଆଁମାରର ରାଖାଇନ୍ ରାଜ୍ୟକୁ ଆରାକାନ୍ ଆର୍ମି ଜୁଣ୍ଟା ସେନାଠାରୁ ଛଡ଼ାଇ ନିଜ ଦଖଲକୁ ନେଇଛି। ଏହି କାରଣରୁ ସ୍ଥାନୀୟ ରୋହିଙ୍ଗ୍ୟାମାନଙ୍କର ଭବିଷ୍ୟତ ଅନିଶ୍ଚିତ ହୋଇପଡିଛି।
ମିଆଁମାରର ବାଂଲାଦେଶ ସହିତ ୨୭୦ କିଲୋମିଟର ସୀମା ଉପରେ ମଧ୍ୟ ଆରାକାନ୍ ଆର୍ମି ନିଜର ନିୟନ୍ତ୍ରଣକୁ ମଜବୁତ କରିଛି। ଏହା ସହିତ ଆରାକାନ ସେନା ବର୍ତ୍ତମାନ ବାଂଲାଦେଶ ସହ ଆଲୋଚନା କରିବାର ସ୍ଥିତିରେ ଅଛି। ଆରାକାନ୍ ଆର୍ମିର ନିର୍ଯାତନା ସହି ନପାରି ବହୁସଂଖ୍ୟକ ରୋହିଙ୍ଗ୍ୟା ମିଆଁମାରରୁ ସୀମା ପାର ହୋଇ ବାଂଲାଦେଶରେ ପହଞ୍ଚିଛନ୍ତି।
ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ୍ ରିପୋର୍ଟ କରିଛି ଯେ, ରୋହିଙ୍ଗ୍ୟା ସମ୍ପ୍ରଦାୟ ସହିତ ଆରାକାନ୍ ଆର୍ମିର ​​ସମ୍ପର୍କ ତିକ୍ତ ହୋଇ ପଡ଼ିଛି। ଫଳରେ ପୂର୍ବରୁ ବିଭିନ୍ନ ପରିସ୍ଥିତି ଯୋଗୁ ସଙ୍କଟରେ ଥିବା ରୋହିଙ୍ଗ୍ୟା ସମ୍ପ୍ରଦାୟ ପାଇଁ ଆରାକାନ୍ ଆର୍ମି ନୂତନ ଅନିଶ୍ଚିତତା ଆଣିଛି। ରାଖାଇନ୍ ପୂର୍ବରୁ ମିଆଁମାରର ଜଟିଳ ରାଜନୈତିକ ଏବଂ ସାମାଜିକ ଦୃଶ୍ୟର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଅଞ୍ଚଳରେ ଆରାକାନ୍ ଆର୍ମିର ​​ଆବିର୍ଭାବ ପରିସ୍ଥିତିକୁ ଅଧିକ ଜଟିଳ କରିଥିବା କୁହାଯାଉଛି।
ରୋହିଙ୍ଗ୍ୟାଙ୍କ ପ୍ରତି ଆରାକାନ୍ ଆର୍ମିର ​​ମନୋଭାବ ଭଲ ନାହିଁ। ଯଦିଓ ଆରାକାନ୍ ଆର୍ମି ରୋହିଙ୍ଗ୍ୟାଙ୍କୁ ଅତ୍ୟଧିକ ଟାର୍ଗେଟ କରୁନାହିଁ, ତେବେ ଐତିହାସିକ ସ୍ଥିତି ନେଇ ସେମାନଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରୁଛି, ଯାହାକି ରାଖାଇନ୍ ରାଜ୍ୟରେ ବ୍ୟାପକ ତିକ୍ତତାକୁ ଦର୍ଶାଉଛି। ରୋହିଙ୍ଗ୍ୟାମାନଙ୍କ ଘର ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହା ରୋହିଙ୍ଗ୍ୟାଙ୍କୁ ଦେଶରେ ଥିବା ତାଙ୍କର ଭିଟାମାଟି ଛାଡିବାକୁ ବାଧ୍ୟ କରୁଛି।
୧୯୭୮ରୁ ରୋହିଙ୍ଗ୍ୟାମାନେ ବାଂଲାଦେଶକୁ ସ୍ଥାନାନ୍ତର ହେଉଛନ୍ତି। କିନ୍ତୁ ସାମ୍ପ୍ରତିକ ସ୍ଥିତି ଯୋଗୁ ସେମାନଙ୍କ ସଂଖ୍ୟା ବାଂଲାଦେଶରେ ବୃଦ୍ଧି ପାଉଛି। ମିଆଁମାର ଶାସକଙ୍କ ସହ ବୁଝାମଣା ମାଧ୍ୟମରେ ରୋହିଙ୍ଗ୍ୟାମାନଙ୍କୁ ଦେଶକୁ ଫେରାଇବା ପାଇଁ ବାଂଲାଦେଶ ସର୍ବଦା ଏକ କଠୋର ନୀତି ଆପଣାଇଛି। ବାଂଲାଦେଶରେ ବର୍ତ୍ତମାନର ରାଜନନୈତିକ ଅସ୍ଥିରତା ଏବଂ ଆରାକାନ୍ ସେନାର ରାଖାଇନ୍ ଦଖଲ କରିବା ରୋହିଙ୍ଗ୍ୟାଙ୍କ ପାଇଁ କଷ୍ଟକର ସ୍ଥିତି ସୃଷ୍ଟି କରିଥିବା ଅନ୍ତର୍ଜାତୀୟ ବିଶେଷଜ୍ଞ ମତପୋଷଣ କରିଛନ୍ତି।
ମିଆଁମାରର ରୋହିଙ୍ଗ୍ୟା ସାମରିକ ଶାସକ ଏବଂ ଆରାକାନ୍ ସେନା ମଧ୍ୟରେ ଫସି ରହିଥିବାବେଳେ ବାଂଲାଦେଶ ମଧ୍ୟ ସେମାନଙ୍କୁ ଦୀର୍ଘକାଳୀନ ଆଶ୍ରୟ ଦେବା ସପକ୍ଷରେ ନାହିଁ। ଏଭଳି ପରିସ୍ଥିତିରେ କେବଳ ରୋହିଙ୍ଗ୍ୟାଙ୍କ ନୁହେଁ ବରଂ ଏହି ସମଗ୍ର ଅଞ୍ଚଳର ଭବିଷ୍ୟତ ଏକ ସଙ୍କଟ ଜନକ ମୋଡ଼ରେ ରହିଛି।
ଏହା ଯୋଗୁ ରୋହିଙ୍ଗ୍ୟାମାନେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ଏହି ସମ୍ପ୍ରଦାୟ ତଥାପି ମିଆଁମାରରେ ନିଜ ପାଇଁ ଏକ ସୁରକ୍ଷିତ ସ୍ଥାନ ଖୋଜୁଛି ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ରୋହିଙ୍ଗ୍ୟାଙ୍କ ମଧ୍ୟରେ କ୍ଷୁଧାମୃତ୍ୟୁ ଏବଂ ବେଆଇନ କାର୍ଯ୍ୟକଳାପ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ନେପାଳ ସରକାର ନିଜର ରୋହିଙ୍ଗ୍ୟା ନୀତିର ପୁନର୍ବିଚାର କରୁଛନ୍ତି।

Leave a Reply

Your email address will not be published. Required fields are marked *