‘ସିଏଜି ରିପୋର୍ଟରୁ ସାମ୍ନାକୁ ଆସିଲା ଆପ୍‌ର ପାପ, ଦିଲ୍ଲୀରେ ହୋଇଛି ୨୦୨୬ କୋଟି ଟଙ୍କାର ରାଜସ୍ବ କ୍ଷତି’: AAPକୁ ବିଜେପିର ଟାର୍ଗେଟ୍

Spread the love

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ସରଗରମ ରହିଛି ଦିଲ୍ଲୀ ରାଜନୀତି। ଆପ୍ ଓ ବିଜେପି ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଏହାରି ମଧ୍ୟରେ ସିଏଜି ରିପୋର୍ଟକୁ ନେଇ ପୁଣି ଜୋର ଧରିଛି ଦିଲ୍ଲୀ ରାଜନୀତି। ବିଜେପି ଆପ୍‌କୁ ଟାର୍ଗେଟ କରି କହିଛି ଯେ, ସିଏଜି ରିପୋର୍ଟରେ ଦିଲ୍ଲୀର ଆମ୍‌ ଆଦମୀ ପାର୍ଟି ସରକାର ଏବଂ ଅରବିନ୍ଦ କେଜରିଓ୍ବାଲଙ୍କ ସବୁ ଘୋଟାଲା ସାମ୍‌ନାକୁ ଆସିଛି। ରିପୋର୍ଟରେ ଦିଲ୍ଲୀ ମଦ ନୀତି ଯୋଗୁ ହୋଇଥିବା ୨୦୨୬ କୋଟି ଟଙ୍କାର ରାଜସ୍ବ କ୍ଷତି କଥା କୁହାଯାଇଥିବା ବିଜେପି କହିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସିଏଜି ରିପୋର୍ଟରେ ମଦ ନୀତି କାର୍ଯ୍ୟକାରୀରେ ଥିବା ତ୍ରୁଟି କଥା ମଧ୍ୟ କୁହାଯାଇଛି। ବିଜେପି ନେତା ଅନୁରାଗ ଠାକୁର କହିଛନ୍ତି, ‘‘ଦିଲ୍ଲୀରେ ୨ ,୦୨୬ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଛି।’’ ସେ କହିଛନ୍ତି ‘‘ଆପ୍‌ କହିଥିଲା ବିଦ୍ୟାଳୟ ତିଆରି କରିବେ, କିନ୍ତୁ ମଧୁଶାଳା ତିଆରି ହେଉଛି। ଏମାନେ ଝାଡ଼ୁ କଥା କହୁଥିଲେ କିନ୍ତୁ ଝାଡ଼ୁରୁ ଦାରୁ (ମଦ)କୁ ଆସିଗଲେ। ଏମାନଙ୍କର ୧୦ ବର୍ଷର ଶାସନ ହେଉଛି ଘୋଟାଲା ଆଉ ଆପ୍‌ର ପାପ। ଦିଲ୍ଲୀରେ ଅରବିନ୍ଦ କେଜରିଓ୍ବାଲ ୨୦୨୬ କୋଟି ଟଙ୍କାର ରାଜସ୍ବ କ୍ଷତି କରିଛନ୍ତି।’’

ସେ ଆହୁରି କହିଛନ୍ତି, ଯଦି ଆପ୍ର ନୀତି ଏତେ ଭଲ ଥିଲା ତେବେ ତାକୁ ପ୍ରତ୍ୟାହାର କାହିଁକି କଲେ। ଆଜି ଆପ୍ ପାଖରେ ଦିଲ୍ଲୀର ଭଙ୍ଗା ରାସ୍ତା, ଘରେ ମଇଳା ପାଣି, ବଢ଼ୁଥିବା ବିଜୁଳି ବିଲ୍‌, ଅଳିଆର ପାହାଡ଼ ଏବଂ ପ୍ରଦୂଷଣର କୌଣସି ଉତ୍ତର ନାହିଁ। ଦିଲ୍ଲୀ ‘ଆପ୍-ଦା’ରୁ ମୁକ୍ତ ହେବାକୁ ଚାହୁଛି।

ସେ କହିଛନ୍ତି, ଯିଏ ବଡ଼ ଘର ଗାଡ଼ି ସିକ୍ୟୁରିଟି ଗାର୍ଡ ନନେବା କଥା କହୁଥିଲେ ଆଜି ସେ ବଡ଼ ଘର ନୁହେଁ ବରଂ ଶୀଶମହଲ ଗଢ଼ିଛନ୍ତି। ବଡ଼ ଗାଡ଼ି ନୁହେଁ, ସବୁଠୁ ବଡ଼ ଗାଡ଼ି ନେଇଛନ୍ତି। ଗୋଟିଏ ନୁହେଁ ଦୁଇ ଦୁଇଟି ରାଜ୍ୟରୁ ସୁରକ୍ଷା ନେଇଛନ୍ତି। ଗୋଟିଏ ଘୋଟାଲା ନୁହେଁ ଅନେକ ଘୋଟାଲ କରିଛନ୍ତି। ଆଉ ସବୁ ପାପ ଅରବିନ୍ଦ କେଜରିଓ୍ବାଲଙ୍କ ନେତୃତ୍ବରେ ହୋଇଛି।

ସେପଟେ ଜେପି ନଡ୍ଡା ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି, ଶାସନ ଲୋଭରେ ଥିବା ବ୍ୟକ୍ତି କୁଶାସନ ଚଳାଇଛନ୍ତି। ଲୁଟ୍‌ର ‘ଆପ୍-ଦା’ ମଡେଲ ଖୋଲାଖୋଲି ଭାବରେ ସାମ୍‌ନାକୁ ଆସିଛି। ସିଏମଜି ରିପୋର୍ଟ ମଦ ଦୁର୍ନୀତିକୁ ଉପରେ ଦେଇଥିବା ରିପୋର୍ଟରୁ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଆପ୍ ସରକାରଙ୍କ ମୁଖା ଖୋଲିଛି। ନୀତିକୁ କାର୍ଯ୍ୟକାରୀ କରିବାରେ ଜାଣିଶୁଣି ଭୁଲ୍ କରାଯାଇଛି। ଯେଉଁଥିପାଇଁ ସରକାରୀ କୋଷକୁ ୨୦୨୬ କୋଟି ଟଙ୍କାର କ୍ଷତି ହୋଇଛି।

Leave a Reply

Your email address will not be published. Required fields are marked *