Pgi

କ୍ୟାପିଟାଲ୍‌ ହସ୍‌ପିଟାଲରେ ବଢ଼ିବ ଆଇସିୟୁ ଶଯ୍ୟା; ରୋଗୀ ପାଇବେ ଉନ୍ନତ ଚିକିତ୍ସା

Spread the love

ଭୁବନେଶ୍ବର: ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ଆଗାମୀ ଦିନରେ ଆହୁରି ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ଉନ୍ନତମାନର ଚିକିତ୍ସା ସେବା ସହିତ ଅନ୍ୟ ସୁବିଧା ମଧ୍ୟ ଦିଆଯିବାକୁ ଗୁରୁତ୍ବ ଦିଆଯଉଛି। ଏହି କ୍ରମରେ କ୍ୟାପିଟାଲ ହସ୍‌ପିଟାଲରେ ଆଇସିୟୁ ଶଯ୍ୟା ସଂଖ୍ୟା ବର୍ତ୍ତମାନ ତୁଳନାରେ ବଢ଼ିବ ବୋଲି କୁହାଯାଉଛି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେଲା ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଆଜି କ୍ୟାପିଟାଲ ହସ୍ପିଟାଲରେ ବସିଥିବା ରୋଗୀ କଲ୍ୟାଣ ସମିତି ଗଭର୍ଣ୍ଣିଂ କମିଟି ବୈଠକରେ ହସ୍ପିଟାଲ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ କହିବା ଅନୁଯାୟୀ, ପ୍ରତି ମାସରେ ହସ୍ପିଟାଲକୁ ହାରାହାରି ୧,୪୩୨ଟି ଡାଇଲେସିସ କେସ୍ ଆସୁଛି। କ୍ୟାପିଟାଲ୍‌ ହସ୍‌ପିଟାଲରେ ଏବେ ଯେତିକି ଶଯ୍ୟା ରହିଛି, ତାଠାରୁ ଅଧିକ ଦରକାର ପଡୁଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରତ୍ୟେକ ଶଯ୍ୟାରେ ଦୈନିକ ୩ଟି ସିଟିଂରେ ଡାଇଲେସିସ କରାଯାଉଛି। ଏହାକୁ ଦୈନିକ ୪କୁ ବୃଦ୍ଧି କରାଯିବାର ଯୋଜନା ରହିଛି। ଅର୍ଥାତ ୪ଟି ସିଟିଂରେ ଡାଇଲେସିସ କରାଯିବ। ସେହିପରି ବନ୍ଦ ରହିଥିବା ମିସନ ଶକ୍ତି କାଫେକୁ ମଧ୍ୟ ଏସଏଚଜି ମହିଳାଙ୍କୁ ହସ୍ତାନ୍ତର କରି ଚାଲୁ କରିବାକୁ ନିଷ୍ପତ୍ତି ହୋଇଛି।

କ୍ୟାପିଟାଲ ହସ୍ପିଟାଲରେ ମନ୍ଥର ଗତିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଯଥା ଶୀଘ୍ର ସାରିବାକୁ ମଧ୍ୟ ସଂପୃକ୍ତ ବିଭାଗକୁ କୁହାଯାଇଥିବା ସୂଚନା ରହିଛି। ଏଠ‌ାର ଦୈନିକ ରୋଗୀ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ କିପରି ରୋଗୀ ସେବା ସଠିକ୍ ଯୋଗାଇ ଦିଆଯାଇ ପାରିବ, ସେନେଇ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଭୁବନେଶ୍ୱର ସାଂସଦଙ୍କ ସମେତ ଭୁବନେଶ୍ୱର ମଧ୍ୟ ଏବଂ ଏକାମ୍ର ବିଧାୟକ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ହସ୍ପିଟାଲର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *