ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ, ଅଳ୍ପକେ ବର୍ତିଲେ କର୍ମଚାରୀ

Spread the love

ନବରଙ୍ଗପୁର: ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ।  ଅଳ୍ପକେ ବର୍ତିଲେ କର୍ମଚାରୀ । ଗତ ତିନି ଦିନ ଧରି ନବରଙ୍ଗପୁର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା କାରଣରୁ ଅନେକ କ୍ଷୟକ୍ଷତିର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଆଜି ସକାଳୁ ସକାଳୁ ଲଗାଣ ବର୍ଷା ପ୍ରଭାବରେ ନବରଙ୍ଗପୁର ସହର ପ୍ରାଇଭେଟ ବସ ଷ୍ଟାଣ୍ଡ ନିକଟସ୍ଥ ବଜରଙ୍ଗ ରାଇସ ମିଲଟି ଭୁଶୁଡି ପଡିଛି ।

ରାଇସ ମିଲ ଭିତରେ ତିନି ହଜାର କୁଇଣ୍ଟାଲ ସରକାରୀ ଚାଉଳ ସହ ଧାନ ଥିବା ବେଳେ ସବୁକିଛି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି। ରାଇସ ମିଲ ଭିତରେ ଥିବା ଚାଉଳର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ସେହି ଚାଉଳ ସବୁ ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଯୋଗାଣ ପାଇଁ ରହିଥିବା କୁହାଯାଉଛି ।

ତେବେ ଉକ୍ତ ଘଟଣାରେ ରାଇସ ମିଲରେ କାମ କରୁଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଉକ୍ତ ଘଟଣା ନେଇ ଯୋଗାଣ ବିଭାଗ ଅଧିକାରୀଙ୍କୁ ଅବଗତ କରାଇଥିବା ବେଳେ ନଷ୍ଟ ହୋଇନଥିବା ବଳକା ଧାନ ଗୁଡିକୁ କିପରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଓ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରିଛନ୍ତି ମିଲ ମାଲିକ ବିକାଶ ଅଗ୍ରୱାଲ।

Leave a Reply

Your email address will not be published. Required fields are marked *