ପାର୍ବଣ ବେଳେ ନିଶା ଦିଆ ଲେଡି ଲୁଟେରା ଗ୍ୟାଙ୍ଗ ଗିରଫ
ଭୁବନେଶ୍ୱର: ପାର୍ବଣ ବେଳେ ରାଜଧାନୀ ଭୁବନେଶ୍ୱରସ୍ଥିତ ଟ୍ୱିନ୍ ସିଟି କମିସନରେଟ୍ ପୁଲିସ ଶନିବାର ଏକ ନିଶା ଓ ଲୁଟ୍ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସରିଫା ଖାତୁନ ଓରଫ ମୁସ୍କାନ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଗାନ୍ଧୀନଗରର ଅଶୋକ ବେହେରା (ଲଣ୍ଡା), ନୟାଗଡ଼ ଇଟାମାଟି ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ସେଠୀ, ନୟାଗଡ଼ ଓଡ଼ାଗାଁର ସୁଶାନ୍ତ ରାଉତ। ମୁସ୍କାନଙ୍କ ଘର ଭୁବନେଶ୍ୱର ୟୁନିଟ୍-୩ ଅଞ୍ଚଳରେ।
ଭୁବନେଶ୍ୱର ରେଳ ଷ୍ଟେସନ୍ ନିକଟରେ ଯାତ୍ରୀଙ୍କୁ ଲୁଟ୍ କରିବାକୁ ଯୋଜନା କରୁଥିବା ବେଳେ ଭୋର୍ ପ୍ରାୟ ୩ଟା ବେଳେ ଖାରବେଳନଗର ଥାନା ପୁଲିସର ଏକ ଟିମ୍ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରୁ ଏହି ଗ୍ୟାଙ୍ଗର ସଦସ୍ୟଙ୍କୁ କାବୁ କରିଥିଲା।
ସେମାନଙ୍କ ନିକଟରୁ ଦୁଇଟି ବାଇକ୍, ଗୋଟିଏ ଛୁରୀ, ମୃଦୁ ପାନୀୟ, ୪ଟି ଷ୍ଟ୍ରିପ ଲୋରାଜେପାମ୍ ଟ୍ୟାବଲେଟ ଜବତ କରାଯାଇଛି। ଲୋରାଜେପାମ ଏକ ଔଷଧ ଯାହା ସାଧାରଣତଃ ଅନିଦ୍ରା ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ।
ପୁଲିସ କହିଛି ଯେ ଏହି ଗ୍ୟାଙ୍ଗର ମହିଳା ସଦସ୍ୟ ସାଧାରଣତଃ ଯାତ୍ରୀମାନଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ସ୍ପାଇକ୍ ଫୁଡ୍ କିମ୍ବା ଡ୍ରିଙ୍କସ୍ ଦେଉଥିଲେ। ଯାତ୍ରୀମାନେ ଚେତା ହରାଇବା ପରେ ଅନ୍ୟ ଗ୍ୟାଙ୍ଗର ସଦସ୍ୟମାନେ ସେମାନଙ୍କ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଲୁଟି ନେଉଥିଲେ।
ପୁଲିସ ଆହୁରି କହିଛି ଯେ ଏହି ଗ୍ୟାଙ୍ଗର ସଦସ୍ୟମାନେ ସାଧାରଣତଃ ଯୁବକ ଏବଂ ସଶସ୍ତ୍ର ବାହିନୀର ଯବାନମାନଙ୍କୁ ରେଲଓ୍ବେ ଷ୍ଟେସନରେ ପହଞ୍ଚିବା ପରେ ଟାର୍ଗେଟ୍ କରିଥାନ୍ତି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ଅପରାଧିକ ମାମଲା ରହିଛି।