କ୍ଷମତା ପାଇଁ ପାକିସ୍ତାନକୁ ଭାଗ ଭାଗ କରିବାକୁ ଚକ୍ରାନ୍ତ କରୁଛନ୍ତି ମୁନିର୍ !
ପାକିସ୍ତାନ: ପାକିସ୍ତାନରେ ପୁଣି ରାଜନୈତିକ ସଙ୍କଟ । ପାକିସ୍ତାନକୁ ଭାଗ ଭାଗ କରିବାକୁ ଚକ୍ରାନ୍ତ କରୁଛନ୍ତି ମୁନିର୍ । କ୍ଷମତା ହାତେଇବା ପାଇଁ ”ଭାଗ ଭାଗ କରିବାକୁ ଚାହୁଁଛନ୍ତି ମୁନିର । ପାକିସ୍ତାନର ପ୍ରକୃତ କ୍ଷମତାଧାରୀ ତଥା ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ ମୁନିର ଦେଶର ୪ଟି ପ୍ରଶାସନିକ ପ୍ରଦେଶକୁ ଭାଙ୍ଗିବାକୁ ଯୋଜନା କରୁଛନ୍ତି । ଦେଶର ୪ଟି ପ୍ରଶାସନିକ ପ୍ରଦେଶକୁ ଭାଙ୍ଗି ୧୨, ୧୫ କିମ୍ବା ୧୬୦ରୁ ଅଧିକ କ୍ଷୁଦ୍ର ଭାଗରେ ବିଭକ୍ତ କରିବାକୁ ଯୋଜନା କରୁଛନ୍ତି ।
୧୯୪୭ ମସିହାରେ ପାକିସ୍ତାନ ସୃଷ୍ଟି ହେବା ପରଠାରୁ ପଞ୍ଜାବ, ସିନ୍ଧ, ଖାଇବର ପାଖତୁନଖ୍ୱା ଏବଂ ବଲୋଚିସ୍ତାନ ନାମକ ୪ଟି ମୁଖ୍ୟ ପ୍ରଦେଶ ରହିଆସିଛି । ସେଥିମଧ୍ୟରୁ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଞ୍ଜାବରେ ୧୨୮ ନିୟୁତ ଲୋକ ବସବାସ କରୁଥିବା ବେଳେ ବଲୋଚିସ୍ତାନରେ ମାତ୍ର ୧୫ ନିୟୁତ ଲୋକ ଅଛନ୍ତି । କୋରୋନା ଓ ପରବର୍ତ୍ତୀ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଦେଶର ଶାସନ ବ୍ୟବସ୍ଥା ଅସମ୍ଭାଳ ହୋଇପଡ଼ିଥିବା ଦର୍ଶାଇ ମୁନିର ଏହି ପ୍ରଦେଶଗୁଡ଼ିକ ଅତ୍ୟନ୍ତ ବଡ଼ ବୋଲି ଯୁକ୍ତି ବାଢ଼ିଛନ୍ତି, ମାତ୍ର ଏହା ପଛରେ ତାଙ୍କର କ୍ଷମତା ହାସଲର ଗୁପ୍ତ ଉଦ୍ଦେଶ୍ୟ ରହିଥିବା ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି ।
ରିପୋର୍ଟ ଅନୁଯାୟୀ, ନୂତନ ଭାବେ ଗଠିତ ଏହି ଛୋଟ ଛୋଟ ଅଞ୍ଚଳଗୁଡ଼ିକୁ କ୍ଷମତାସୀନ ନେତା କିମ୍ବା ସେନାମୁଖ୍ୟଙ୍କ ଦ୍ୱାରା ମନୋନୀତ ବ୍ୟକ୍ତିମାନେ ଶାସନ କରିବେ, ଯାହା ଦ୍ୱାରା ସମ୍ପୂର୍ଣ୍ଣ କ୍ଷମତା ପରୋକ୍ଷରେ ମୁନିରଙ୍କ ନିୟନ୍ତ୍ରଣକୁ ଚାଲିଯିବ । ପାକିସ୍ତାନର ମୋଟ ସମୟର ଦୁଇ-ପଞ୍ଚମାଂଶରୁ ଅଧିକ ସମୟ ସେନା ଶାସନାଧୀନ ରହିଥିବା ବେଳେ ବର୍ତ୍ତମାନର ଶେହବାଜ ଶରୀଫ ସରକାର ମଧ୍ୟ ସେନା ଆଗରେ ନିରୁପାୟ ଅଛନ୍ତି । ରାଜନୈତିକ ବିଶ୍ଳେଷକ ଏବଂ ବିରୋଧୀ ଦଳଗୁଡ଼ିକ ଏହାକୁ ସେନାର ଏକ “ଭାଗ କର ଏବଂ ଶାସନ କର” ରଣନୀତି ବୋଲି ଦର୍ଶାଇଛନ୍ତି । ଏହାସହ ରାଜନୈତିକ ଦଳଗୁଡ଼ିକୁ ଦୁର୍ବଳ କରିବା ଚକ୍ରାନ୍ତ ଚାଲିଥିବା କୁହାଯାଉଛି । ଛୋଟ ପ୍ରଦେଶଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବେ ଏବଂ କେନ୍ଦ୍ରୀୟ ପାଣ୍ଠି ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବେ । ଫଳରେ ସେମାନେ ସେନା ବା କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ ନାହିଁ ବୋଲି କୁହାଯାଉଛି ।
