ଆସନ୍ତା ୨୫ରୁ ଭୁବନେଶ୍ବରରୁ ପୁଣେକୁ ଉଡ଼ିବ ଇଣ୍ଡିଗୋ ବିମାନ
ଭୁବନେଶ୍ବର: ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ଆସନ୍ତା ୨୫ ତାରିଖରୁ ଭୁବନେଶ୍ବର-ପୁଣେ ମଧ୍ୟରେ ନୂଆ ବିମାନ ସେବା ଆରମ୍ଭ କରିବ ଇଣ୍ଡିଗୋ। ଏହି ବିମାନ ସପ୍ତାହର ପ୍ରତ୍ୟେକ ଦିନ ଚଳାଚଳ କରିବ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ନୂଆ ବିମାନ ସେବା ଆରମ୍ଭ ହେବା ଫଳରେ ଭୁବନେଶ୍ବରରୁ ପୁଣେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅଧିକ ବିକଳ୍ପ ମିଳିବ। ବିଶେଷକରି ଚାକିରି, ଶିକ୍ଷା, ବ୍ୟବସାୟ ଓ ଅନ୍ୟାନ୍ୟ କାମରେ ପୁଣେ ଯାଉଥିବା ଯାତ୍ରୀଙ୍କ ପାଇଁ ଏହି ସେବା ଉପକାରୀ ହେବ।ଭୁବନେଶ୍ବରରୁ ପୁଣେ ମଧ୍ୟରେ ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ସେବା ଚାଲୁଛି। ଏବେ ଇଣ୍ଡିଗୋର ନୂଆ ସେବା ଯୋଡ଼ି ହେବା ଦ୍ବାରା ଏହି ରୁଟ୍ରେ ବିମାନ ଯାତ୍ରାର ସୁଯୋଗ ଆହୁରି ବଢ଼ିବ। ଏହା ଭୁବନେଶ୍ବର ବିମାନବନ୍ଦରରୁ ବିମାନ ଯୋଗାଯୋଗ ବୃଦ୍ଧି ଦିଗରେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।
