Novel prize

ଅପ୍ଟୋଜେନେଟିକ୍ସ ଆବିଷ୍କାର ପାଇଁ ମେଡିସିନରେ ୩ ବୈଜ୍ଞାନିକଙ୍କୁ ନୋବେଲ

Spread the love

ନୂଆଦିଲ୍ଲୀ : ୨୦୨୬ ଚିକିତ୍ସା ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା । ଅପ୍ଟୋଜେନେଟିକ୍ସ ଆବିଷ୍କାର ପାଇଁ ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ସମ୍ମାନ । କାର୍ଲ ଡିସେରୋଥ୍, ପିଟର ହେଗେମ୍ୟାନ୍ ଓ ଜର୍ଜ ନାଗେଲଙ୍କୁ ମିଳିତ ଭାବେ ପୁରସ୍କାର ପାଇବେ ।

ଏହି ତିନି ଜଣ ସ୍ନାୟୁ ବିଜ୍ଞାନ ଗବେଷଣାରେ ଆଣିଛନ୍ତି ଯୁଗାନ୍ତକାରୀ ପରିବର୍ତ୍ତନ । ଆଲୋକ-ନିୟନ୍ତ୍ରିତ ଆୟନ ଚ୍ୟାନେଲ ଏବଂ ‘ଅପ୍ଟୋଜେନେଟିକ୍ସ’ କ୍ଷେତ୍ରରେ ଅଭୂତପୂର୍ବ ଆବିଷ୍କାର ପାଇଁ ତିନି ଜଣ ବିଶିଷ୍ଟ ବୈଜ୍ଞାନିକ କାର୍ଲ ଡିସେରୋଥ୍, ପିଟର ହେଗେମ୍ୟାନ୍ ଏବଂ ଜର୍ଜ ନାଗେଲଙ୍କୁ ମିଳିତ ଭାବେ ଏହି ସମ୍ମାନରେ ସମ୍ମାନିତ କରାଯିବ। ଆଜି ସୁଇଡେନର କାରୋଲିନସ୍କା ଇନଷ୍ଟିଚ୍ୟୁଟ୍ ସ୍ଥିତ ନୋବେଲ ଆସେମ୍ବ୍ଲି ପକ୍ଷରୁ ଏହି ଐତିହାସିକ ନିଷ୍ପତ୍ତି ଘୋଷଣା କରାଯାଇଛି ।

ଏହି ବୈଜ୍ଞାନିକମାନଙ୍କ ଦ୍ୱାରା ଉଦ୍ଭାବିତ ଅପ୍ଟୋଜେନେଟିକ୍ସ ପ୍ରଯୁକ୍ତି ସମଗ୍ର ସ୍ନାୟୁ ବିଜ୍ଞାନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଦେଇଛି । ଏହି ପଦ୍ଧତିରେ ଆଲୋକର ତରଙ୍ଗ ବ୍ୟବହାର କରି ଜୀବନ୍ତ କୋଷ, ବିଶେଷ ଭାବରେ ମସ୍ତିଷ୍କର ସ୍ନାୟୁକୋଷ ଗୁଡ଼ିକର କାର୍ଯ୍ୟକଳାପକୁ ନିର୍ଭୁଲ ଭାବେ ନିୟନ୍ତ୍ରଣ କରାଯାଇପାରୁଛି । ଶୈବାଳରୁ ମିଳୁଥିବା ଆଲୋକ-ସମ୍ବେଦନଶୀଳ ପ୍ରୋଟିନକୁ ଜିନୀୟ ପଦ୍ଧତିରେ ସ୍ନାୟୁକୋଷ ଭିତରେ ସ୍ଥାପନ କରି, ଆଲୋକ ପ୍ରୟୋଗ ମାଧ୍ୟମରେ ସେଗୁଡ଼ିକୁ ମନ ମୁତାବକ ସକ୍ରିୟ ବା ନିଷ୍କ୍ରିୟ କରିବା ସମ୍ଭବ ହୋଇଛି । ମସ୍ତିଷ୍କ କିପରି କାର୍ଯ୍ୟ କରେ, ସ୍ମୃତି କିପରି ସୃଷ୍ଟି ହୁଏ ଏବଂ ବିଭିନ୍ନ ଭାବନା ତଥା ଶାରୀରିକ ଗତିବିଧି କିଭଳି ପରିଚାଳିତ ହୁଏ, ତାହା ସ୍ପଷ୍ଟ ଭାବେ ବୁଝିବାରେ ଏହି ଆବିଷ୍କାର ବିଶେଷ ଭୂମିକା ଗ୍ରହଣ କରିଛି।

ଏହାଦ୍ୱାରା ଜଟିଳ ସ୍ନାୟୁଗତ ରୋଗ, ପାର୍କିନ୍ସନ୍ସ, ବାତ ଏବଂ ଅଲଜାଇମର ଭଳି ରୋଗର ନୂତନ ଚିକିତ୍ସା ପଦ୍ଧତି ବାହାର କରିବାରେ ବଡ଼ ସଫଳତା ମିଳିଛି । ଗଭୀର ଅବସାଦ ଏବଂ ନିଶା ନିବାରଣ ସମ୍ପର୍କିତ ଗବେଷଣାରେ ଏହି ପଦ୍ଧତି ନୂଆ ଦିଗ ଦେଖାଇଛି । ରେଟିନାର କୋଷଗୁଡ଼ିକୁ ଆଲୋକ-ସମ୍ବେଦନଶୀଳ କରି ଅନ୍ଧତ୍ୱ ନିବାରଣ ଦିଗରେ ନୂତନ ଆଶା ସଞ୍ଚାର କରିଛି । ଏହି ପୁରସ୍କାର ରାଶି ତିନି ଜଣ ବୈଜ୍ଞାନିକଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯିବ । ଆସନ୍ତା ଡିସେମ୍ବର ୧୦ ତାରିଖରେ ଆଲଫ୍ରେଡ୍ ନୋବେଲଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଷ୍ଟକହୋମ୍ ରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *