Poka

ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ, କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା

Spread the love

ଭୁବନେଶ୍ୱର : ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ । କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା । ​ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ ହେଲା ଜଟଣୀ ପୋଲିସ । ହଷ୍ଟେଲ ଖାଦ୍ୟରୁ ପୋକ ବାହାରିବା ଘଟଣାକୁ କେନ୍ଦ୍ର କରି ଜଟଣୀସ୍ଥିତ ଏକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ନିମ୍ନମାନର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ଆଣି ଛାତ୍ରଛାତ୍ରୀମାନେ ବିଳମ୍ବିତ ରାତି ଯାଏଁ ଧାରଣାରେ ବସିବା ସହ ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲେ । ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ପରିସରରେ ଥିବା ଗାଡ଼ିମୋଟର ଭଙ୍ଗାରୁଜା କରିବା ସହ ବ୍ୟାପକ ହଙ୍ଗାମା କରିଛନ୍ତି ।

ଖବର ପାଇ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ହେଁ ଉତ୍ତେଜନା ଏତେ ଅଧିକ ଥିଲା ଯେ ପୋଲିସକୁ ବେଶ୍ କିଛି ସମୟ ଧରି ନାକେଦମ ହେବାକୁ ପଡ଼ିଥିଲା । ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ​ଅଭିଯୋଗ ଅନୁଯାୟୀ, ବିଶ୍ୱବିଦ୍ୟାଳୟ ହଷ୍ଟେଲ ମେସ୍ ରେ ଅନ୍ତେବାସୀଙ୍କୁ ଦୀର୍ଘ ଦିନ ହେବ ନିମ୍ନମାନର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପରସା ଯାଉଥିଲା । ଗତକାଲି ଖାଇବା ବେଳେ ଖାଦ୍ୟ ଥାଳିରୁ ପୋକ ବାହାରିବା ଦେଖି ଛାତ୍ରଛାତ୍ରୀମାନେ ସ୍ତବ୍ଧ ହୋଇଯାଇଥିଲେ ।

ପିଲାମାନେ ତୁରନ୍ତ ଏହାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିବା ସହ ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ହଷ୍ଟେଲ ଖାଦ୍ୟ ମାନରେ କୌଣସି ସୁଧାର ନ ଆସିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଥିଲା । ​ହଷ୍ଟେଲ କର୍ତ୍ତୃପକ୍ଷ କିମ୍ବା ୟୁନିଭରସିଟି ପ୍ରଶାସନ ଘଟଣାକୁ ଗୁରୁତ୍ୱ ନ ଦେବାରୁ ଶହ ଶହ ଛାତ୍ରଛାତ୍ରୀ ଏକଜୁଟ ହୋଇ କ୍ୟାମ୍ପସ ଭିତରେ ଧାରଣାରେ ବସିରହିଥିଲେ । ଦୀର୍ଘ ସମୟ ଧରି ନାରାବାଜି ଚାଲିବା ପରେ ମଧ୍ୟ କୌଣସି ଦାୟିତ୍ୱସମ୍ପନ୍ନ ଅଧିକାରୀ ଆଲୋଚନା ପାଇଁ ନ ଆସିବାରୁ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା

କ୍ରୋଧିତ ଛାତ୍ରମାନେ କ୍ୟାମ୍ପସ ପରିସରରେ ଭଙ୍ଗାରୁଜା କରିଥିଲେ ଏବଂ ବିଭିନ୍ନ ସ୍ଥାନରେ ହଙ୍ଗାମା ଚଳାଇଥିଲେ । ​ସୂଚନା ପାଇ ଜଟଣୀ ଥାନାର ଏକ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ପିଲାମାନେ ନିଜ ଜିଦ୍ ରେ ଅଟଳ ରହିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନକୁ କଡ଼ା ପରିଶ୍ରମ ଓ ନାକେଦମ ହେବାକୁ ପଡ଼ିଥିଲା ।

ବହୁ ସମୟର ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବର୍ତ୍ତମାନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ​ଏତେ ବଡ଼ ଅଘଟଣ ଓ କ୍ୟାମ୍ପସରେ ଭଙ୍ଗାରୁଜା ସତ୍ତ୍ୱେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ବକ୍ତବ୍ୟ ପ୍ରକାଶ ପାଇନାହିଁ । ଏ ବାବଦରେ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *