Ganesh puja pandal gutted in fire 750x430 (1)

ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ

Spread the love

ସମ୍ବଲପୁର: ସୋମବାର ସନ୍ଧ୍ୟାରେ ଏକ ବଡ଼ ଅଘଟଣ। ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନରେ ଥିବା ଦେହେରିପାଲି ଅଞ୍ଚଳରେ ଗଣେଶ ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ। ଜଳିପୋଡ଼ି ପାଉଁଶ ହେଲା ସବୁ ସାଜସଜ୍ଜା। ଦେହେରିପାଲି ପୂଜା କମିଟି ଦ୍ୱାରା ଆୟୋଜିତ ଗଣେଶ ପୂଜାରେ ରାତି ପ୍ରାୟ ୮.୨୦ ସମୟରେ ଏହି ଭୟଙ୍କର ଘଟଣା ଘଟିଛି।

ପୂଜା ଏକ ବିରାଟ ଆକାରରେ ଆୟୋଜିତ ହୋଇଥିଲା, ଯେଉଁଥିରେ ସାଜସଜ୍ଜା ଏବଂ ଉତ୍ସବ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଥିଲା। ଅପରାହ୍ନରେ ପୂଜା ବିଧି ସମ୍ପାଦିତ ହୋଇଥିଲା। ସ୍ଥାନୀୟ ଗଣେଶ ପୂଜା ପେଣ୍ଡାଲରେ ହଠାତ୍ ଭୟଙ୍କର ନିଆଁ ଲାଗି ସମଗ୍ର ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି । ଉତ୍ସବର ମାହୋଲ ଥିବା ବେଳେ ଏହି ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ହଠାତ୍ ପେଣ୍ଡାଲରୁ ଧୂଆଁ ବାହାରିବା ସହ କିଛି କ୍ଷଣ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା । କପଡ଼ା, ଥର୍ମୋକୁଲ୍ ଓ କାଠରେ ନିର୍ମିତ ସାଜସଜ୍ଜା ଥିବାରୁ ନିଆଁ ଦ୍ରୁତ ଗତିରେ ସମଗ୍ର ପେଣ୍ଡାଲକୁ କବଳିତ କରିନେଇଥିଲା । ଫଳରେ ଦେଖୁ ଦେଖୁ ପୂରା ପୂଜା ମଣ୍ଡପଟି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଯେପରି ଆଖପାଖ ଘର କିମ୍ବା ଦୋକାନକୁ ନ ବ୍ୟାପିବ, ସେଥିପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି । ତେବେ ପେଣ୍ଡାଲରେ କେଉଁ କାରଣରୁ ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *