Modi 2 (1)

ଦଳୀୟ ବିଧାୟକଙ୍କ ବିରୋଧରେ ଜମି ଆତ୍ମସାତ୍‌ ଅଭିଯୋଗ, ପିଏମ୍ ମୋଦୀଙ୍କୁ ଭେଟିଲେ ଅଭିଯୋଗକାରୀ

Spread the love

ନୂଆଦିଲ୍ଲୀ: ମହାରାଷ୍ଟ୍ର ଥାନେ ଜିଲା ମିରା ରୋଡର ବାସିନ୍ଦା ୮୧ ବର୍ଷୀୟ ଅସଗର୍ଲି ବୋହରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସେ ବିଜେପି ବିଧାୟକ ନରେନ୍ଦ୍ର ମେହେଟାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଏହି ବିଧାୟକ ଓ ତାଙ୍କ ସହ ସମ୍ପର୍କ ରଖିଥିବା ଜଣେ ବିଲ୍ଡର ଜାଲ କାଗଜପତ୍ର ମାଧ୍ୟମରେ ମୁମ୍ବଇର ‘ଭୟଣ୍ଡର ଇଷ୍ଟ’ର ନଭଗର ରୋଡରେ ଥିବା ଜମି ହଡ଼ପ ପାଇଁ ପ୍ରୟାସ କରୁଥିବା କହିଛନ୍ତି। ଏହି ଜମି ବିବାଦରେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ବୋହରା ନିବେଦନ କରିଛନ୍ତି। ତିନି ଦଶନ୍ଧି ତଳର ଏହି ବିବାଦର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଅଭିଯୋଗକାରୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବତନ ସହପାଠୀ। ଉଭୟେ ଗଜୁରାଟ ଭଡ଼ନଗରର ବିଏନ ସ୍କୁଲରେ ଏକାଠି ପାଠ ପଢୁଥିଲେ। ଯେଉଁ ବୟସରେ ଲୋକେ ପୁରୁଣା ସ୍ମୃତି ଓ ଅନ୍ୟମାନଙ୍କ ସହାୟତାରେ ଜୀବନ ନିର୍ବାହ କରିଥାନ୍ତି, ସେହି ବୟସରେ ବୋହରା ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ପୁଲିସ, କୋର୍ଟ, ନେତା ଆଦିଙ୍କ ଚକ୍କର କାଟିବା ପରେ କୌଣସି ଆଶାର କିରଣ ନ ପାଇ ଶେଷରେ ସେ ବନ୍ଧୁଙ୍କ ପାଖକୁ ଧାଇଁ ଯାଇଛନ୍ତି।

ଗତ ୮ ତାରିଖରେ ଉଭୟ ବନ୍ଧୁ ପରସ୍ପରକୁ ଭେଟିଥିଲେ, ମାତ୍ର ଏବେ ଏହି ସୂଚନା ସାମନାକୁ ଆସିଛି।ବୋହରା କହିଛନ୍ତି ଯେ ୧୯୮୯ରେ ସେ ୨୮୧୦ ସ୍କୋୟାର ଫୁଟର ଜମି କିଣିଥିଲେ। ଏହି ଜମିକୁ ସେ କାହାକୁ ବିକ୍ରି କିମ୍ବା ହସ୍ତାନ୍ତର କରି ନ ଥିଲେ। ମାତ୍ର ୨୦୧୧ରେ ସ୍ବୟମ ବିଲ୍ଡର ସହ ମିଶି ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରାଯାଇଥିଲା। ଏହା ପରେ ତାଙ୍କ ଅଜାଣତରେ ଜମିକୁ ଦୁଇ ଭାଗରେ ବାଣ୍ଟି ଦିଆଯାଇଥିଲା। ଗୋଟିଏ ଭାଗ ସ୍ବୟମ ବିଲ୍ଡର୍ସର ଦଖଲରେ ଥିବା ବେଳେ, ଅନ୍ୟ ଭାଗଟି ବିଜେପି ବିଧାୟକ ନରେନ୍ଦ୍ର ମେହେଟାଙ୍କ ସହ ଜଡ଼ିତ କମ୍ପାନୀ ‘ସେଭେନ୍ ଇଲେଭେନ୍ କନ୍‌ଷ୍ଟ୍ରକସନ୍ସ’ର ନିୟନ୍ତ୍ରଣରେ ଥିବା ଦେଖାଯାଇଥିଲା। ବୋହରା ମାଲିକାନା ଦାବି କରିବା ସତ୍ତ୍ବେ ବିବାଦୀୟ ଜମିରେ କେମିତି ନିର୍ମାଣ ଅନୁମତି ଦିଆଗଲା ବୋଲି ମିରା-ଭୟାଣ୍ଡର ମହାନଗର ନିଗମର ସହରୀ ଯୋଜନା ବିଭାଗ ଉପରେ ପ୍ରଶ୍ନ ଉଠାଇଛନ୍ତି। ମହାନଗର ନିଗମ, ରାଜସ୍ବ ବିଭାଗ, ପୁଲିସ ଏହି ଅପରାଧୀଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇ ନ ଥିଲା ବୋଲି ବୋହରା ଅଭିଯୋଗ କରିଛନ୍ତି। ଏ ନେଇ ସେ ୨୦୧୫ରେ ଅଭିଯୋଗ କରିଥିଲେ। ମାତ୍ର ଏହାର ୧୧ ବର୍ଷ ପରେ ୨୦୨୬ରେ ସିଆଇଡି ରିପୋର୍ଟ ଦାଖଲ କରି ଏତଲା ରୁଜୁ କରିିଥିଲା।

ରାଜନୈତିକ ପ୍ରଭାବ ଯୋଗୁଁ ଏପରି ହୋଇଥିବା ସେ ଦାବି କରିଛନ୍ତି। ଜମି ହଡ଼ପକାରୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିବା ସୂଚନା ଦେଇଛନ୍ତି। ତେବେ ଏନେଇ ତାଙ୍କୁ କୌଣସି ନୋଟିସ ଦିଆଯାଇ ନ ଥିଲା। ସବୁଆଡୁ ବିଫଳ ହେବା ପରେ ବୋହରା ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ। ବିଲ୍ଡର, ସରକାରୀ ଅଧିକାରୀ, ପୁଲିସ ଆଦିଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରିଥିେଲ।ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସ୍ଥାନୀୟ ପ୍ରଶାସନ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି। ଆସନ୍ତା ୧୬ ତାରିଖରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ବୋହରା କରିଥିବା ଅଭିଯୋଗ ଏହି ବିବାଦର କେନ୍ଦ୍ରରେ ରହିଛି। କର୍ତ୍ତୃପକ୍ଷ କିମ୍ବା ତଦନ୍ତକାରୀ ସଂସ୍ଥାର ଯେକୌଣସି ନିଷ୍କର୍ଷ ଏହି ଦାବିଗୁଡ଼ିକର ସତ୍ୟତା ନିର୍ଦ୍ଧାରଣ କରିବ।

Leave a Reply

Your email address will not be published. Required fields are marked *