Whatsapp image 30 2026 04 04 20 37 47

ସୁବର୍ଣ୍ଣପୁରରେ ହାଇଟେକ୍ ସର୍ଭେ, ବନ୍ଦୋବସ୍ତ ୨୦୨୬ ସୁଦ୍ଧା ସରିବ: ମନ୍ତ୍ରୀ

Spread the love

ଭୁବନେଶ୍ୱର: ଲୋକସେବା ଭବନଠାରେ ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ଦୀର୍ଘ ଦିନର ଅପେକ୍ଷାର ଅନ୍ତ ସହ ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତିl
ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୯୮୯ଟି ଗ୍ରାମ ମଧ୍ୟରୁ ୬୦୮ ଗ୍ରାମର ହାଇଟେକ୍ ସର୍ଭେ ଏବଂ ସେଟେଲମେଣ୍ଟ୍ ପ୍ରକ୍ରିୟା ଇତିମଧ୍ୟରେ ସମାପ୍ତ ହୋଇଥିବା ବେଳେ ଏହି ସବୁ ଗ୍ରାମ ଗୁଡ଼ିକର ପଟ୍ଟା ପ୍ରସ୍ତୁତକରି ଭୂଲେଖରେ ଅପଲୋଡ୍ କରିବା ସହ ଜନସାଧାରଣଙ୍କୁ ପଟ୍ଟାବଣ୍ଟନ କାର୍ଯ୍ୟ ତିନୋଟି ପର୍ଯ୍ୟାୟରେ ୪୫ ଦିନ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛିl ବାକିଥିବା ଗ୍ରାମମାନଙ୍କର ସର୍ଭେ ଓ ବନ୍ଦୋବସ୍ତ କାର୍ଯ୍ୟ ୬ ମାସ ମଧ୍ୟରେ ସାରିବା ସହ ଭୂଲେଖରେ ଅପଲୋଡ଼୍ କରିବା ଓ ମ୍ୟାପ୍ ପ୍ରକାଶ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାପାଇଁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତିl
ଆସନ୍ତା ୨୦୨୬ ନଭେମ୍ବର ମାସ ସୁଦ୍ଧା ହାଇଟେକ୍ ସର୍ଭେ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମର ଜମିପଟ୍ଟା ସହ ମ୍ୟାପ୍ ପ୍ରକାଶ ପାଇବl ଏହା ଦ୍ଵାରା ସୁବର୍ଣ୍ଣପୁର ଜିଲ୍ଲାର ଜନସାଧାରଣ ବିଭିନ୍ନ ରାଜସ୍ୱ ସେବା ସହଜରେ ପାଇବା ସହ ଉପକୃତ ହେବେl ଏହି ପରିପ୍ରେକ୍ଷୀରେ ବନ୍ଦୋବସ୍ତ ସରିଥିବା ଓ ବକେୟା ଥିବା ସମସ୍ତ ଗ୍ରାମର ସାବକ ଜମି ଏବଂ ହାଲ୍ ଜମିକୁ ପୁନର୍ବାର ସଠିକ୍ ଭାବେ ଯାଞ୍ଚ କରି ପ୍ରକ୍ରିୟା ସରିଥିବା ଏବଂ ହେବାକୁ ଥିବା ଜମିଜମାକୁ ନିର୍ଭୁଲ ଭାବରେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗ ଅଧୀନରେ ଥିବା ସରକାରୀ ଜମିସ୍ୱତ୍ବ ଓ ଦେବୋତ୍ତର ଜମିସ୍ଵତ୍ବ ସୁରକ୍ଷାକୁ ନିଶ୍ଚିତ କରିବା ସହ କୌଣସି ବି ପରିସ୍ଥିତିରେ ଚଞ୍ଚକତା କରି ଏସବୁ ଜମି ଉପରେ କେହି ଅନ୍ୟାୟ ଅକ୍ତିଆର କରିପାରିବେ ନାହିଁ ବୋଲି ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢୀ ଗୁରୁତ୍ୱାରୋପ କରିଛନ୍ତିl
ସେହିପରି ଜନସାଧାରଣଙ୍କ ପକ୍ଷରୁ ପ୍ରକାଶିତ ଜମିପଟ୍ଟା ସମ୍ପର୍କିତ କୌଣସି ଆପତ୍ତି ଥିଲେ କ୍ଷେତ୍ର ପରିଦର୍ଶନ ସହ ତାହାର ଯାଞ୍ଚ କରାଯାଇ ସଠିକ୍, ସମୁଚିତ ଏବଂ ସମ୍ବେଦନଶୀଳ ଭାବେ ତାହାର ସର୍ଭେ ଏବଂ ବନ୍ଦୋବସ୍ତ କାର୍ଯ୍ୟ ସମାପନ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛିl ଏଥିସହିତ ଏହି ହାଇଟେକ୍ ସର୍ଭେ ଓ ବନ୍ଦୋବସ୍ତ କାର୍ଯ୍ୟକୁ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଅଧିକ ଡେପୁଟି କଲେକ୍ଟରଙ୍କୁ ସ୍ୱତନ୍ତ୍ର ଦାୟିତ୍ଵ ସହ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛିl ଜମିଜମା ରେକର୍ଡ୍ ଏବଂ ସର୍ଭେର ନିର୍ଦ୍ଦେଶକ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ଏହି ହାଇଟେକ୍ ସର୍ଭେ ପ୍ରକିୟାକୁ ତ୍ଵରାନ୍ଵିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛିl ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ଜମିଜମା ରେକର୍ଡ ଏବଂ ସର୍ଭେର ନିର୍ଦ୍ଦେଶକ ଶ୍ରୀ ନିଗମାନନ୍ଦ ପଣ୍ଡା, ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲପାଳ ଡ. ନୃପରାଜ ସାହୁ ଏବଂ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେl

Leave a Reply

Your email address will not be published. Required fields are marked *