ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଡଲାର ବିନିମୟ ମୂଲ୍ୟ ୯୨.୬୩ ଟଙ୍କାକୁ ବୃଦ୍ଧି
ମୁମ୍ବାଇ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳ ଦର ମହଙ୍ଗା ହେଉଥିବାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ବୁଧବାର ଡଲାରର ବିନିମୟ ମୂଲ୍ୟ ୯୨ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି। ଯୁଦ୍ଧ ସଙ୍କଟ ଓ ସେୟାର ବଜାରରୁ ବିଦେଶୀ ନିବେଶକମାନେ ଲଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ରହିଛି। ଇରାନ ସହ ଇସ୍ରାଏଲ- ଆମେରିକା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଡଲାରର ବିନିମୟ ମୂଲ୍ୟ ୧.୫ ପ୍ରତିଶତ ବଢ଼ିଛି। ଏହି ସମୟ ଭିତରେ ବିଦେଶୀ ନିବେଶକମାନେ ଭାରତରୁ ୮୦୦ କୋଟି ଡଲାର ପ୍ରତ୍ୟାହାର କରିଛନ୍ତି। ତଳକୁ ତଳ ଖସୁଥିବା ଟଙ୍କା ମୂଲ୍ୟରେ ସୁଧାର ଆଣିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମିତ ବ୍ୟବଧାନରେ ହସ୍ତକ୍ଷେପ କରୁଛି। ଏହା ନିଜ ଭଣ୍ଡାରରେ ଥିବା ଡଲାରକୁ କମ୍ ଦାମ୍ରେ ବିକ୍ରି କରି ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ଉଦ୍ୟମ କରୁଛି।
